’ଆନ୍ଧ୍ରକୁ ଦିଆଯିବନି ଇଞ୍ଚେ ବି ଜାଗା: ସୁଦାମ ମାରାଣ୍ଡି

ଭୁବନେଶ୍ୱର(ଏସ୍ ନ୍ୟୁଜ): ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଜାରି ରହିଛି । ଆଉ ଏହି ସମୟରେ “ଆନ୍ଧ୍ରକୁ ଛଡାଯିବନି ଇଞ୍ଚେ ବି ଜାଗା । କୁଟିଆ କିମ୍ବା ସମ୍ବାଇ କେଉଁଠି ବି ଅନୁପ୍ରବେଶ କରିବାକୁ ଦିଆଯିବନି ଆନ୍ଧ୍ରକୁ ।“ ଓଡ଼ିଶା ସୀମାରେ ଆନ୍ଧ୍ରର ଦାଦାଗିରି ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ସୀମାରେ ଥିବା ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିହେବ ସହ ସୀମାବର୍ତ୍ତି ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସହଯୋଗ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଦିନକୁ ଦିନ ବଢିଚାଲିଛି । ପ୍ରାୟ ଏକ ସପ୍ତାହ ଧରି ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡା ଗାଁର ରାସ୍ତା ଅବରୋଧ କରି ରଖିଛନ୍ତି ଆନ୍ଧ୍ରପ୍ରଦେଶର ୪ଟି ଗାଁର ଲୋକେ । ଏହି ରାସ୍ତା ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ଆରକୁକୁ ସଂଯୋଗ କରୁଛି । ତେଣୁ ଦୁଇ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣକୁ ନେଇ ଏହି ବିବାଦ ଦେଖାଦେଇଛି ।

ତେବେ ୭ ଦିନ ପୂର୍ବେ ସମ୍ବାଇ ପଞ୍ଚାୟତର ସୁନାବେଡା ଗାଁରେ ଆନ୍ଧ୍ରପ୍ରଦେଶ ତରଫରୁ ଏକତରଫା ଭାବେ ମାପଚୁପ କରାଯାଇଥ‍ଲା । ସୁନାବେଡା ଗାଁକୁ ଆନ୍ଧ୍ରର ଲୋକେ ପଶି ଆସି ସ୍ୱାଗତ ବୋର୍ଡ ଓ ମାଇଲଖୁଣ୍ଟ ଲଗାଇଥିଲେ। ପରେ ଓଡ଼ିଶା ଅଧିକାରୀ ଏହାକୁ କାଢ଼ି ଦେଇଥିଲେ। ଏହାକୁ ନେଇ ଆନ୍ଧ୍ରର ବାସିନ୍ଦା ଓ ଆନ୍ଧ୍ରର ଲୋକପ୍ରତିନିଧି ତୀବ୍ର ବିରୋଧ କରି ଦୀର୍ଘ ୭ ଦିନ ହେବ ପଥର ପକାଇ ରାସ୍ତା ଅବରୋଧ କରି ରଖିଛନ୍ତି ।