୭ରୁ ୧୧ ବର୍ଷ ବୟସ୍କ ପିଲାମାନଙ୍କ ଉପରେ କୋଭିଡ୍ ଟିକା ପରୀକ୍ଷଣ ପାଇଁ ପୁନେ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ଅନୁମତି

ନୂଆଦିଲ୍ଲୀ: ୭ରୁ ୧୧ ବର୍ଷ ବୟସ୍କ ପିଲାମାନଙ୍କ ଉପରେ କୋଭିଡ୍ ଟିକା ପରୀକ୍ଷଣ ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ଅନୁମତି ଦେଇଛି । ଦେଶରେ କରୋନାର ୩ୟ ଲହର ଆସିଲେ ତାହା ଶିଶୁମାନଙ୍କୁ ବି ଆକ୍ରାନ୍ତ କରିବାର ଆଶଙ୍କା ମଧ୍ୟରେ ସରକାର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକା ପ୍ରସ୍ତୁତି ଉପରେ ଏବେ ବିଶେଷ ଗୁରୁତ୍ବ ପ୍ରଦାନ କରୁଛନ୍ତି ।ଭାରତୀୟ ବଜାର ପାଇଁ ଆମେରିକୀୟ ଔଷଧ କମ୍ପାନି ନୋଭାଭାକ୍ସ ଟିକାର ଲାଇସେନ୍ସ ପାଇଥିବା ସେରମ ଇନଷ୍ଟିଚ୍ୟୁଟ୍ ଏବେ ଏହି ଟିକାର ପରୀକ୍ଷଣ ୧୨ରୁ ୧୮ ବର୍ଷ ପିଲାଙ୍କଠାରେ କରୁଛି । ସେରମ ଇନଷ୍ଟିଚ୍ୟୁଟର କରୋନା ଟିକା କୋଭିସିଲ୍ଡ ଏବେ ଭାରତରେ ଟିକାକରଣ ପାଇଁ ବ୍ୟବହାର କରାଯାଉଛି । ଏପର୍ଯ୍ୟନ୍ତ ଦେଶବ୍ୟାପୀ ପ୍ରାୟ ୮୭୦ ନିୟୁତ (୮୭ କୋଟି) ଡୋଜ୍ କୋଭିସିଲଡ ଟିକା ଦିଆଯାଇଛି ।ଗତ ମାସରେ ଭାରତୀୟ କମ୍ପାନି ଜାଇଡସ କାଡିଲା ପ୍ରସ୍ତୁତ କରୋନା ଟିକା ଜାଇକୋଭ-ଡିକୁ ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଦେବାକୁ ଅନୁମତି ମିଳିସାରିଛି ।