ପଞ୍ଚଭୂତରେ ଲୀନ ହେଲେ ଲୋକପ୍ରିୟ ଗାୟିକା ତପୁ ମିଶ୍ର

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଓଡିଶାର ଖ୍ୟାତନାମା ତଥା ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ଦେହାନ୍ତ ଘଟିଛି । ତପୁ ମିଶ୍ରଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଓଲିଉଡ ସ୍ତବ୍ଦ ହୋଇଯାଇଥିଲା । ୨୮ ଦିନ ଧରି ଜୀବନ ଯୁଦ୍ଧରେ ଲଢେ଼ଇ ଜାରି ରଖିଥିବା ତପୁ ମିଶ୍ର ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । କରୋନା ନେଗେଟିଭ୍ ହୋଇ ଯାଇଥିଲେ ବି ତାଙ୍କ ଫୁସ୍ଫୁସ ସଂକ୍ରମଣ ଘଟି ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା । ୨୦ ତାରିଖରେ ସେ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । କିନ୍ତୁ କରୋନା ଯୋଗୁଁ ତାଙ୍କ ଫୁସ୍ଫୁସ୍ର ୭୫ ପ୍ରତିଶତ ସଂକ୍ରମିତ ହୋଇ ସାରିଥିଲା । ଶନିବାର ରାତିରେ ତାଙ୍କର ଦେହାନ୍ତି ହୋଇଯାଇଛି । ତପୁ ମିଶ୍ର ଓଡିଆ ସଂଗୀତ ଦୁନିଆର ଜଣେ ପରିଚିତ ଚେହେରା । ପାଖାପାଖି ୨୦୦ ଚଳଚ୍ଚିତ୍ରରେ ଗୀତ ଗାଇଥିବା ଏହି କଣ୍ଠଶିଳ୍ପୀ ୨୦୦୩ ମସିହାରେ ‘କୁଳନନ୍ଦନ’ ଚଳଚ୍ଚିତ୍ରରୁ ତାଙ୍କ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ । ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ଗୀତ ଗାଇ ଦୀର୍ଘ ଦୁଇ ଦଶନ୍ଧି ଧରି ଓଲିଉଡ୍ ସହ ଯୋଡି ହୋଇ ଅଛନ୍ତି । ତାଙ୍କ ଲୋକପ୍ରିୟ ଗୀତଗୁଡିକ ମଧ୍ୟରୁ ‘ଆ ମାନେ ଆନନ୍ଦପୁରଟ୍ଟ’, ‘ଆଇ ଲଭ୍ ୟୁଟ୍ଟ’, ‘ଇସ୍କ ତୁ ହିଁ ତୁଟ୍ଟ’ ଆଦି ଅନ୍ୟତମ । ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ୪ଟି ରାଜ୍ୟ ଚଳଚ୍ଚ୍ଚିତ୍ର ପୁରସ୍କାର ସହ ଓଡିଶାର ଆହୁରି ଅନେକ ପୁରସ୍କାର ସେ ପାଇଛନ୍ତି । ତପୁଙ୍କ ବିୟୋଗରେ ଓଲିଡଉ ଜଣେ ମହାନ ବ୍ୟକ୍ତିଙ୍କୁ ହରାଇଲା ବୋଲି ବହୁ ଅଭିନେତା କହିଛନ୍ତି ।

ସୂଚନାଯୋଗ୍ୟ,ପଞ୍ଚଭୂତରେ ଲୀନ ହେଲେ ଲୋକପ୍ରିୟ ଗାୟିକା ତପୁ ମିଶ୍ର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁଖାଗ୍ନି ଦେଇଛନ୍ତି ସ୍ୱାମୀ ଦୀପକ ପୂଜାରୀ । ଅଭିନେତ୍ରୀ ଏଲିନା ଦାସ, ଉଷସୀ ମିଶ୍ର, ସୋଫିଆ ଆଲାମ, ରାଖି, ଅଭିନେତା ବୁଲୁ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଛନ୍ତି।