୫୧ତମ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ ରଜନୀକାନ୍ତ

ଚେନ୍ନାଇ,(ଏସ୍ ନ୍ୟୁଜ): ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କୁ ଏବର୍ଷର ସମ୍ମାନଜନକ ‘ଦାଦାସାହେବ ଫାଲ୍‌କେ ପୁରସ୍କାର’ ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଘୋଷଣା କରିଛନ୍ତି।

ଟୁଇଟ୍‌ କରି ପ୍ରକାଶ ଜାଭଡ଼େକର୍‌ ଲେଖିଛନ୍ତି, ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଅନ୍ୟତମ ମହାନ୍‌ ଅଭିନେତା ରଜନୀକାନ୍ତଜୀଙ୍କୁ ୨୦୧୯ ବର୍ଷ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରି ଆନନ୍ଦିତ| ଜଣେ ଅଭିନେତା, ପ୍ରଯୋଜକ ଏବଂ ଚିତ୍ରନାଟ୍ୟକାର ଭାବେ ତାଙ୍କର ଅବଦାନ ବ୍ୟାପକ ସ୍ୱୀକୃତି ଲାଭ କରିଛି।

ଭାରତୀୟ ଚଳଚ୍ଚିତ୍ରର ଜନକ ଧୁନ୍ଦିରାଜ୍‌ ଗୋବିନ୍ଦ ଫାଲ୍‌କେଙ୍କ ନାମରେ ନାମିତ ଏହି ସମ୍ମାନଜନକ ପୁରସ୍କାର ୧୯୬୯ରେ ଆରମ୍ଭ ହୋଇଥିଲା। ଭାରତୀୟ ଚଳଚ୍ଚିତ୍ରର ଅଭିବୃଦ୍ଧି ଏବଂ ବିକାଶରେ ଅବଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଏ।