ଶିଳ୍ପାଙ୍କ ଘରେ କ୍ରାଇମବ୍ରାଞ୍ଚ

ମୁମ୍ବାଇ: ଜୁହୁରେ ଥିବା ଶିଳ୍ପାଙ୍କ ଘରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଛାନଭିନ୍‌ କରୁଛନ୍ତି । ପର୍ଣ୍ଣ ଫିଲ୍ମ ସହ ଜଡିତ ସାମଗ୍ରୀ ଘରେ ଅଛି କି ନାହିଁ, ତା’ର ଯାଞ୍ଚ କରାଯାଉଛି । ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଶିଳ୍ପା ସେଟ୍ଟୀଙ୍କୁ ରାଜ ତିଆରି କରିଥିବା ପର୍ଣ୍ଣଗ୍ରାଫି କଣ୍ଟେଣ୍ଟ ସମ୍ପର୍କରେ ପଚାରାଉଚରା କରିବେ । ଏଥିରେ ତାଙ୍କର କୌଣସି ଭୂମିକା ଅଛି କି ନାହିଁ, ସେକଥା ପୋଲିସ ଜାଣିବାକୁ ଚାହୁଁଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭିଆନ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ହେଉଛନ୍ତି ଶିଳ୍ପା ସେଟ୍ଟୀ । ରାଜ ଗିରଫ ହେବା ପରେ ପୋଲିସ ଭିଆନ କମ୍ପାନୀରେ ରେଡ୍‌ କରିଥିଲା । ସେଠାରୁ ପର୍ଣ୍ଣ ଫିଲ୍ମ ସହ ଜଡିତ ବିପୁଳ ସାମଗ୍ରୀ ମିଳିଥିଲା । ତେଣୁ ଭିଆନ କମ୍ପାନୀର ନିର୍ଦ୍ଦେଶକ ହିସାବରେ ଶିଳ୍ପା ମଧ୍ୟ ତଦନ୍ତ ପରିସର ଭୁକ୍ତ ହୋଇଛନ୍ତି । ରାଜଙ୍କ ଅଫିସରୁ ମିଳିଥିବା ପର୍ଣ୍ଣ ଫିଲ୍ମ ସମ୍ପର୍କିତ ତଥ୍ୟର ଫରେନ୍ସିକ ଯାଞ୍ଚ କରାଯିବ । ସେହିପରି ସର୍ଭରରୁ ଡିଲିଟ ହୋଇଥିବା ତଥ୍ୟକୁ ମଧ୍ୟ ରିକଭର କରାଯିବ । କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଅନେକ ତଥ୍ୟକୁ ଡିଲିଟ କରାଯାଇଛି । ତେଣୁ ଏଗୁଡିକୁ ପୁଣି ଆଣିବା ପାଇଁ ସମୟ ଲାଗିବ । ୨୦୧୯ରୁ ରାଜ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ତିଆରି କରିବା ଆରମ୍ଭ କରିଥିଲେ । ସେ ପ୍ରାୟ ୧୦୦ରୁ ଅଧିକ ପର୍ଣ୍ଣ ଫିଲ୍ମ କରି ସାରିଛନ୍ତି । ରାଜ ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗତ ଫେବୃଆରୀରେ ମାମଲା ରୁଜୁ କରିଥିଲା । ପରେ ୧୯ ଜୁଲାଇରେ ତାଙ୍କୁ ଗିରଫ କରାଯାଇଥିଲା । ମାମଲା ରୁଜୁ ହେବା ପରେ ରାଜ ଗୁଗଲ ଓ ଆପଲ ପ୍ଲେ ଷ୍ଟୋରରୁ ଗୋଟିଏ ଅଶ୍ଳୀଳ ଆପକୁ ଡିଲିଟ କରି ଦିଆଯାଇଥିଲା ।