କେନ୍ଦ୍ରଶାସିତ ଅଂଚଳ ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ହାତରେ ୨୬ ଜଣ ନିରୀହ ଜନତା ପ୍ରାଣ ହରାଇଲେ । ବହୁତ ଲୋକ ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଧାରା ୩୭୦ ଉଚ୍ଛେଦ କରାଗଲେ, ଜମ୍ମୁ-କଶ୍ମୀର ଉପରେ ସଂପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ସତର୍କ ଦୃଷ୍ଟିରେ ରହିବ, ସେଠାରେ କୌଣସି ଆତଙ୍କୀ ସଂଗଠନ ମୁଣ୍ଡ ଟେକି ଠିଆ ହୋଇ ପାରିବେନି । ସଂସଦ ଭିତରେ ଏମିତି କିଛି ବକ୍ତବ୍ୟ ରଖିଥିଲେ ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ।
ଏପ୍ରିଲ ୨୨ ତାରିଖ ଆତଙ୍କୀ ହମ୍ଲାରେ ୨୬ ଜଣ ପରିଜନଙ୍କୁ ହରାଇ ସାରିବା ପରେ ୧୪୩ କୋଟି ଜନତାଙ୍କ ମନରୁ ସେ ଭ୍ରାନ୍ତ ଧାରଣା ଚାଲିଯାଇଛି । ଧାରା ୩୭୦ ଉଚ୍ଛେଦ ପରେ ମଧ୍ୟ ଜମ୍ମୁ-କଶ୍ମୀରରେ ଆତଙ୍କୀ ସଂଗଠନ ପୂର୍ବଭଳି ସକ୍ରିୟ ଅଛନ୍ତି । ସଜାଗ ଅଛନ୍ତି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ପାଉଛନ୍ତି । ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ, ସ୍ୱରାଷ୍ଟ୍ର ବିଭାଗ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଭାରତ ସରକାରଙ୍କ ଗୁପ୍ତଚର ବିଭାଗର ପାରିବା ପଣିଆ ଧରାପଡ଼ିଛି ।
ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଉ ମରଦ ପଣିଆ ଜାହିର କରିଥିଲେ । ଏପ୍ରିଲ ୨୨ ତାରିଖରେ ୨୬ ଜଣ ନିରୀହ ଜନତାଙ୍କୁ ମାରି ଆତଙ୍କୀ ସଂଗଠନ ତା’ର ଠିକଣା ଜବାବ ଦେଲା ।
ପହଲଗାମରେ ଆତଙ୍କୀ ହମ୍ଲା କରି ଆତଙ୍କୀ ସଂଗଠନ ତା’ର ଉପସ୍ଥିତି ଜଣାଇ ଦେଲା । ଏବେ ଭାରତ ସରକାର ତା’ର କଡ଼ା ଜବାବ ଦେବାକୁ ଘନଘନ ବୈଠକ କରୁଛି । ଆତଙ୍କୀ ହମ୍ଲା ପଛରେ ପାକ୍ ଗୁପ୍ତଚର ସଂସ୍ଥା ଓ ପାକ୍ ସରକାରଙ୍କ ହାତ ରହିଛି କହି ଭାରତ ସରକାର ନିଜର ଦୋଷକୁ ଘୋଡ଼ାଇବାକୁ ଉଦ୍ୟମ କରୁଛନ୍ତି ।
ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଯେଉଁ ସବୁ ତଥ୍ୟ ଗଣମାଧ୍ୟମକୁ ଜଣାଯାଉଛି ସେସବୁ ଯେ କ୍ଷମତାସୀନ ମେଂଟ ଦ୍ୱାରା ପୂର୍ବରୁ ପ୍ରସ୍ତୁତ କରାଯାଇ ନଥିବ ବୋଲି କିଏ କହିବ? ସାଧାରଣ ପୁଲିସ କୌଣସି ହତ୍ୟାକାଣ୍ଡର ତଦନ୍ତ ମାମଲା ହାତକୁ ଗ୍ରହଣ କରିବା ପରେ ହତ୍ୟା ଅଭିଯୁକ୍ତକୁ ଧରିବା ପୂର୍ବରୁ ଆଗ ଘର ମାଲିକଙ୍କ ଦୋଷତ୍ରୁଟିକୁ ବାହାର କରେ । ଘର ମାଲିକଙ୍କୁ ଏଣୁତେଣୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରେ ।
ପହଲଗାମ ଆତଙ୍କୀ ହମ୍ଲା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଜରୁରୀ ନୁହେଁ କି? ପହଲଗାମର ଯୋଉ ପର୍ଯ୍ୟଟନ ସ୍ଥଳରେ ଆତଙ୍କୀମାନେ ଏଭଳି ବର୍ବରୋଚିତ କାଣ୍ଡ ଘଟାଇଲେ, ସେହି ପର୍ଯ୍ୟଟନ ସ୍ଥଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଗଲାନି କାହିଁକି? ୟା’ର ଜବାବ ଭାରତ ସରକାରଙ୍କ କୋଉ ବିଭାଗ ନିକଟରେ ରହିଛି? ଯୋଉ ମୁଖ୍ୟମନ୍ତ୍ରୀ, ଯୋଉ କ୍ୟାବିନେଟ୍ ମନ୍ତ୍ରୀ, ଯୋଉ ସାଂସଦ, ଯୋଉ ରାଜନୈତିକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସଂପୂର୍ଣ୍ଣ ଦୋଷମୁକ୍ତ ବୋଲି ଭାବୁଛନ୍ତି । ସେମାନେ ଏପ୍ରିଲ ୨୨ ପହଲଗାମ୍ ଆତଙ୍କୀ ହମ୍ଲାର କୋଉ ଦିଗକୁ ଦୃଷ୍ଟିରେ ରଖି ସେଭଳି ମତାମତ ପ୍ରଦାନ କରୁଛନ୍ତି, ତାହା ଗଣମାଧ୍ୟମରେ ପ୍ରକାଶ ପାଇବା ଜରୁରୀ । ଫଳରେ ଯୋଉମାନେ ନରେନ୍ଦ୍ର ମୋଦି, ଅମିତ ଶାହ ଓ ରାଜନାଥ ସିଂଙ୍କୁ ଖଳନାୟକ ଭାବେ ବିଚାର କରୁଛନ୍ତି, ସେମାନଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର ହୋଇଯିବ ।
୨୮ ତାରିଖରେ ପ୍ରକାଶିତ ଦୈନିକ ଖବରକାଗଜ ‘ସମ୍ବାଦ’ ଲେଖିଛି ଯେ ଜାତୀୟ ତଦନ୍ତକାରୀ ସଂସ୍ଥା ମାମଲାର ପ୍ରାଥମିକ ତଦନ୍ତ କରିବା ସମୟରେ ବହୁ ଚାଂଚଲ୍ୟକର ତଥ୍ୟ ହାସଲ କରିଛି । ଆତଙ୍କୀମାନେ ୨୨ ଘଂଟା ଧରି ଘଂଚ ଜଙ୍ଗଲରେ ଚାଲି ଚାଲି ବହୁ ପାହାଡ଼ ଅତିକ୍ରମ କରି ବୈସାରଣ ଉପତ୍ୟକାରେ ପହଂଚିଥିଲେ । ପାହାଡ଼ିଆ ଦୁର୍ଗମ ରାସ୍ତାରେ ୨୨ ଘଂଟା ଧରି ଚାଲିବା ବାଟରେ ଭାରତ ସରକାରଙ୍କ ସୁରକ୍ଷା ବିଭାଗ ଅବା ପ୍ରତିରକ୍ଷା ବିଭାଗର ଗୋଟିଏ ବି ସିସିଟିଭି ଲଗା ଯାଇ ନଥିଲା କାହିଁକି?
କାରଗିଲ ଉପତ୍ୟକାକୁ ଅବହେଳା କରିବାର ପରିଣାମ ସ୍ୱରୂପ ଆମକୁ କାରଗିଲ ଯୁଦ୍ଧ କରିବାକୁ ପଡ଼ିଲା । କାରଗିଲ ଯୁଦ୍ଧରୁ ଆମେ କିଛି ଶିଖି ପାରିଲେନି । ଭାରତ-ପାକିସ୍ତାନ ସୀମାନ୍ତ ସ୍ଥିତ ଘଂଚ ଜଙ୍ଗଲ ଭିତରେ ଆତଙ୍କୀ ସଂଗଠନର ଚଳପ୍ରଚଳ ଉପରେ କଡ଼ା ଦୃଷ୍ଟି ରଖିବାର ଏକମାତ୍ର ସହଜ ବାଟ ସିସିଟିଭି ଲଗାଯିବା ବିଷୟଟା ଭାରତ ସରକାରଙ୍କ ମୁଣ୍ଡକୁ ଜୁଟିଲାନି କିପରି? ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉନ୍ନତ ମସ୍ତିଷ୍କରେ ଏହି ଛୋଟକଥାଟି ଖସିଗଲା କିପରି?
ଭାରତ ସରକାରଙ୍କ ଦୋଷ ଦୁର୍ବଳତା ବାଛିବାକୁ ବସିଲେ ବହୁତ ଦୋଷ ସାମ୍ନାକୁ ଆସିବ । ଆତଙ୍କୀ ହମ୍ଲା ପଛରେ ପାକିସ୍ତାନର ସଂପୃକ୍ତିକୁ ଆମେ ସ୍ୱୀକାର କରୁଛୁ । ମାତ୍ର ଆମର ଏପରି କହିବାର ଅର୍ଥ ହେଉଛି ପରକୁ ଦାୟୀ କରିବା ପୂର୍ବରୁ ଆମେ ପ୍ରଥମେ ଆମର ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଢିଲା କରିବା କେତେ ଦୂର ଠିକ? ଆତଙ୍କୀ ହମ୍ଲା ପାଇଁ ପାକିସ୍ତାନକୁ ଉଚିତ ଶିକ୍ଷା ଦିଆଯିବା ଜରୁରୀ । ତା’ ସହିତ ଏପ୍ରିଲ ୨୨ ତାରିଖରେ ପହଲଗାମରେ ପ୍ରାଣ ହରାଇଥିବା ୨୬ ଜଣ ଜନତାଙ୍କ ମୃତ୍ୟୁ ପାଇଁ ଭାରତର ୧୪୩ କୋଟି ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ମଣିବା ଅନୁଚିତ ।