ବିବାହ କାର୍ଯ୍ୟ ସାରି ଫେରୁଥିବା ବେଳେ ଓଲଟିଲା କନ୍ୟାଯାତ୍ରୀ ବସ୍

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକପୁର ଗ୍ରାମ ନିକଟରେ ଆଜି ଭୋରୁ ଭୋରୁ ଘଟିଛି ମର୍ମନ୍ତୁଦ ବସ୍ ଦୁର୍ଘଟଣା । ଏକ ବିବାହ କାର୍ଯ୍ୟରୁ ବସ୍‌ ଯୋଗେ କନ୍ୟା ପକ୍ଷ ଲୋକ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତମାନେ ଗଂଜାମ ଜିଲ୍ଲା ପୋଲସୋରା ଅଞ୍ଚଳର ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ଗଂଜାମ ଜିଲ୍ଲା ପୋଲସରାରୁ  ପ୍ରାୟ ୩୫ ଜଣ କନ୍ୟା ଯାତ୍ରୀଙ୍କୁ ଧରି ଏକ ବସ୍‌  ପାରଳାଖେମୁଣ୍ଡିକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲା। ଏହାପରେ ବିବାହ କାର୍ଯ୍ୟ ସରିବା ପରେ  ବସ୍‌ଟି ବିଳମ୍ବିତ ରାତିରେ ପୋଲସରା ଅଭିମୁଖେ ବାହାରିଥିଲା।  ରାତି ପ୍ରାୟ ୩ଟାରେ ସେବକପୁର ଗ୍ରାମ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଦୁର୍ଘଟଣାରେ ଆହତ ପ୍ରାୟ ୩୦ ଜଣଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ସେମାନଙ୍କୁ ଆଜି ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି।