୧୦୮ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ; ସାଢେ଼ ତିନିକୋଟି ମୁଣ୍ଡ ଜାମିନ

ନକ୍ସଲ ମୂଳପୋଚ୍ଛ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା …

ମାଲକାନଗିରି: ନକ୍ସଲ ମୂଳପୋଚ୍ଛ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଅଭିଯାନ ଯେତିକି ନିକଟତର ହେଉଛି। ନକ୍ସଲ ଜଂଗଲରୁ ବାହାରି ମୁଖ୍ୟସ୍ରୋତରେ ସାମିଲ ଏହିକ୍ରମରେ ବସ୍ତର ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ୧୦୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୪୪ ଜଣ ମହିଳା ନକ୍ସଲ। ୧୦୮ ଜଣ ମାଓବାଦୀଙ୍କ ମୁଣ୍ଡରେ ୩ କୋଟି ୨୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ମାଓ ଡମ୍ପରୁ ୧୦୧ଟି ଅତ୍ୟାଧୁନିକ ହତିଆର ଜବତ କରାଯାଇଛି। ସେଥିମଧ୍ୟରୁ ଏକେ-୪୭ ବନ୍ଧୁକ ୭ଟି, ୧୧ଟି ଇନ୍‌ସାସ, ୬ଟି ଏସ୍‌ଏଲ୍‌ଆର ବନ୍ଧୁକ, ୨୦ଟି ୩୦୩ ବନ୍ଧୁକ, ୧୨ ବୋର ରାଇଫଲ୍‌ ୨୫ଟି, ୩୧୫ ବୋର୍‌ ରାଇଫଲ ୫ଟି ସହ ବିଜିଏଲ ଲଂଚରକୁ ମିଶାଇ ୧୦୧ଟି ହତିଆର ରହିଛି। ଏହି ଡମ୍ପରୁ ପ୍ରଥମ ଥର ପାଇଁ ୩ କୋଟି ୬୧ ଲକ୍ଷ ନଗଦ ଟଂକା ଜବତ କରାଯାଇଥିବା ବେଳେ ୧ କୋଟି ୬୪ ଲକ୍ଷ ଟଂକାର ଏକ କିଲୋ ସୁନା ମଧ୍ୟ ଜବତ କରାଯାଇଛି।

ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ଡିଭିସିଏମ ସଦସ୍ୟ ରାହୁଲ ତେଲାମ, ପାଣ୍ଡରୁ କାବାସି ଓ ଜିତରୁ ଓୟାମ, ପୂର୍ବ ବସ୍ତର ଡିଭିଜନର ଡିଭିସିଏମ ସଦସ୍ୟ ରାମଧର, ଡିଭିସିଏଣ ମାଲେଶ, କମ୍ପାନୀ କମାଣ୍ଡର ମୁଚାକି, ଏଓବିର କମାଣ୍ଡର କୋସା ମାଣ୍ଡବୀ ପ୍ରମୁଖ ସାମିଲ ରହିଛନ୍ତି। ତେବେ ଏହି ନକ୍ସଲମାନଙ୍କ ମଧ୍ୟରୁ ୫ ଜଣ ଡିଭିସିଏମ, ଜଣେ କମ୍ପାନି କମାଣ୍ଡର, ୧୫ ଜଣ ପ୍ଲାଟୁନ ପାର୍ଟି କମିଟି ସଦସ୍ୟ,୨୧ ଜଣ ଏରିଆ କମିଟି ମେମ୍ବର, ୬୩ ଜଣ ପାର୍ଟି ସଦସ୍ୟ ରହିଛନ୍ତି। ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ଗତ ୨୬ ମାସରେ ଛତିଶଗଡରେ ମୋଟ ୨୭୧୪ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି। ସେହିପରି ୨୦୨୪ରୁ ଆଜି ପର୍ଯ୍ୟନ୍ତ ମୋଟ ୨୬୨୫ ଜଣ ମାଓବାଦୀଙ୍କୁ ଆତ୍ମନିର୍ଭରଶୀଳ କରାଯାଇଛି। ମାର୍ଚ୍ଚ ୩୧ ପୂର୍ବରୁ ସବୁ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ପୁଲିସ କହିଛି।