ଆରମ୍ଭ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ସହ ପରିକ୍ରମା ମାର୍ଗର କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପ୍ରକଳ୍ପର ଚାରୋଟି ବିଶେଷତ୍ୱ ରହିଛି । ପ୍ରଥମ ପରିକ୍ରମା ପ୍ରକଳ୍ପରେ ଯାତ୍ରୀ ସେବା ଓ ଐତିହ୍ୟ ପରିକ୍ରମା ବିକାଶ ସହ ଏହାକୁ ୭ଟି ଜୋନରେ ବିଭକ୍ତ କରାଯାଇଛି । ଦ୍ୱିତୀୟଟି ୬ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ । ତୃତୀୟରେ ଦର୍ଶନାର୍ଥୀଙ୍କୁ ସୁବିଧା ସୁଯୋଗ ପ୍ରଦାନ ଓ ଚର୍ତୁଥରେ ପରିକ୍ରମା ପ୍ରକଳ୍ପ ପରିସରରେ ରହିଥିବା ୧୫ଟି ପୁରାତନ ମଠ ସମୁହର ପୁନଃନିର୍ମାଣ ।

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଭାଗ ଖୋଲା ରହିବା ସହ ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିରର ଅନ୍ୟ ତିନି ଦିଗରେ ରହିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି । ଏହି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଟାଟା ପ୍ରୋଜେକ୍ଟ ନେଇଥିବା ବେଳେ ସମସ୍ତ ନିର୍ମାଣ କାର୍ଯ୍ୟ କଳିଙ୍ଗକଳା ସ୍ଥାପତ୍ୟ ଢାଞ୍ଚାରେ କରାଯିବ । ଅନ୍ୟପଟେ ପୁରୀକୁ ଐତିହ୍ୟ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ୩ ହଜାର ୨ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରିଛନ୍ତି । ଏଥିରେ ଏକାଧିକ ପ୍ରକଳ୍ପ ରହିଛି । ଏହି କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ ବୋଲି ପ୍ରଶାସନିକ ଅଧିକାରୀ ମାନେ କହିଛନ୍ତି ।