ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ବର ସର୍ବବୃହତ ବାଲୁକା ସାନ୍ତାକ୍ଲଜ

ପୁରୀ: ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ବର ସର୍ବବୃହତ ବାଲୁକା ସାନ୍ତାକ୍ଲଜ ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହାର ଲମ୍ବ ୫୦ଫୁଟ ଏବଂ ଚଉଡ଼ା ୨୮ଫୁଟ। ସାନ୍ତାକ୍ଲଜ ନିର୍ମାଣ ପାଇଁ ସୁଦର୍ଶନଙ୍କ ସମେତ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କୁ ୨ଦିନ ସମୟ ଲାଗିଥିଲା।

ସାନ୍ତାକ୍ଲଜରେ ପ୍ରାୟ ୫ହଜାର ନାଲି ଗୋଲାପ ଫୁଲ ସମେତ ଧଳାଫୁଲ ବ୍ୟବହାର କରାଯାଇଛି। ଏହା ବିଶ୍ବର ସର୍ବବୃହତ ବାଲୁକା ସାନ୍ତାକ୍ଲଜ ବୋଲି ସୁଦର୍ଶନ ଗଣମାଧ୍ୟମକୁ କହିଛନ୍ତି। ବିଶ୍ବକୁ କରୋନାମୁକ୍ତ କରିବା ପାଇଁ ସାନ୍ତାକ୍ଲଜ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି। ବାଲୁକା ସାନ୍ତାକ୍ଲଜ ଦେଖିବାକୁ ବେଳାଭୂମିରେ ସ୍ଥାନୀୟ ଅଧିବାସୀଙ୍କ ସମେତ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି।