ବିବାଦୀୟ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ମହିଳାଙ୍କୁ ସମ୍ମାନ ଓ ମୋ ପରିବାର ସ୍ଲୋଗାନ ଦେଉଥିବା ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ କିଭଳି ବିବାଦୀୟ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ପ୍ରଶ୍ନ କରିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା, ଉପସଭାପତି ତଥା ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ ରାଜ୍ୟର ଜଣେ ମନ୍ତ୍ରୀ ଯେପରି ମହିଳାମାନଙ୍କ ସମ୍ମୁଖରେ ଓ ମହିଳାମାନଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଶବ୍ଦ ପ୍ରୟୋଗ କରୁଥିବାର ଭିଡିଓ ଭାଇରାଲ ହୋଇଛି ସେ ସମ୍ପର୍କରେ ଦଳ କିମ୍ବା ମୁଖ୍ୟ ମନ୍ତ୍ରୀଙ୍କ ନୀରବତା କାହିଁକି ବୋଲି ପ୍ରଶ୍ନ ପଚାରିଛନ୍ତି ।

ଏହା ପୂର୍ବରୁ ସଂପୃକ୍ତ ମନ୍ତ୍ରୀ ଯିଏକି ପୂର୍ତ, ପଂଚାୟତରାଜ ଓ ଆଇନ ବିଭାଗ ପରି ଦାୟୀତ୍ୱରେ ରହିଛନ୍ତି । ସିଏ କିପରି ବହୁଚର୍ଚ୍ଚିତ ମାହାଙ୍ଗା ଡର୍ବଲ ମର୍ଡର ଘଟଣାରେ ନିଜ ନାମକୁ ଚାର୍ଜସିଟ୍‌ରୁ ବାଦ ଦେବାପରେ କୋର୍ଟ ଦ୍ୱାରା ଭର୍ତ୍ସିତ ହୋଇଥିଲେ ତାହାର ଉଦାହରଣ ଦେଇ ଏହା କ’ଣ ବହୁ ପ୍ରଚାରିତ ୫-ଟି ର ସ୍ୱଚ୍ଛତା ବୋଲି ଜାଣିବାକୁ ଚାହିଁଥିଲେ । ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ମହାନ କାଣ୍ଡାରୀ ଗଣକବି ବୈଷ୍ଣବ ପାଣିଙ୍କ ମାଟିକ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିଙ୍କ ଏଭଳି ଅଭଦ୍ର, ଅଶ୍ଳୀଳ ଓ ଅସମାଜିକ ଶବ୍ଦ ଓ ଆଚରଣ ସମଗ୍ର ମାହାଙ୍ଗା ମାଟି ଓ ତାର ଜନସାଧାରଣଙ୍କ ପ୍ରତି ପ୍ରଚଣ୍ଡ ଅପମାନ ବୋଲି ବ୍ୟକ୍ତ କରିଥିଲେ । କେବଳ ସେତିକି ନିଜକୁ ରେଭେନ୍ସାର ଛାତ୍ର ଓ ଆଲୁମିନିର ସଦସ୍ୟ କହି ବୁଲୁଥିବାର ତାଙ୍କର ଏତାଦୃଶ ଆଚରଣ ଓ ଉଚାରଣ ରେଭେନ୍ସାର ଗାରିମାକୁ ମଧ୍ୟ କ୍ଷୂର୍ଣ୍ଣ କରୁଛି ବୋଲି କହିବା ସହ ଏହା ସମଗ୍ର କଟକ ଜିଲ୍ଲା ଓ ସର୍ବୋପରି ଆମ ରାଜ୍ୟ ଓଡ଼ିଶାର ସମ୍ମାନ ଉପରେ ଆକ୍ରମଣ ବୋଲି ସେ କହିଥିଲେ ।

ରେଭେନ୍ସାର ଛାତ୍ରଛାତ୍ରୀ, ଶିକ୍ଷକ ସମାଜ ଓ ଆଲୁମିନା ଆସୋସିଏସନ ଏହାଦ୍ୱାରା ଲଜ୍ଜିତ ଏବଂ ଏହି ଅଭଦ୍ରାମି ସଭ୍ୟ ସମାଜ ଦ୍ୱାରା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ।

ମମିତା ମେହେର ହତ୍ୟା ଘଟଣା ଠାରୁ ଆରମ୍ଭ କରି ମାହାଙ୍ଗା ଡବଲ ମର୍ଡର ଘଟଣା ଆଦି ବହୁ ଘଟଣାରେ ମନ୍ତ୍ରୀମାନଙ୍କ ସ୍ୱେଚ୍ଛାଚାରିତା ଓ ସରକାରଙ୍କ ପୃଷ୍ଠପୋଷକତା ଆଦି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ।

ସଂପୃକ୍ତ ମନ୍ତ୍ରୀ ନିଜ ଆଡ଼ୁ ଇସ୍ତଫା ଦେବା ଉଚିତ୍ ନଚେତ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି । ବାଙ୍କୀର ପୂର୍ବତନ ବିଧାୟକ ମଧ୍ୟ ନୂଆବର୍ଷରେ ନାରୀମାନଙ୍କୁ କିଭଳି ବ୍ୟବହାର କରିଛନ୍ତି ତାହା ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଛି । ନବୀନ ବାବୁ ଏସବୁ ଜାଣିପାରୁଛନ୍ତି କି ନାହିଁ, ପଚାରିବା ସହ ଯଦି ଜାଣିମଧ୍ୟ ନୀରବ ରହୁଛନ୍ତି ତାର ଫଳାଫଳ ଭୋଗିବାକୁ ସେ ପ୍ରସ୍ତୁତ ରୁହନ୍ତି ବୋଲି ଚେତାବନୀ ଦେଇଥିଲେ । ମାନ୍ୟବର ରାଜ୍ୟପାଳ ମଧ୍ୟ ଏ ଘଟଣାରେ ହସ୍ତକ୍ଷେପ କରିବା ସହ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଡ. ପଟ୍ଟନାୟକ ଦାବିକରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମନୋରଞ୍ଜନ ଦାଶ, ଅମିୟ ପାଣ୍ଡବ ଏବଂ ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।