ପଞ୍ଚକର ତୃତୀୟ ଦିବସ: ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ପଞ୍ଚକ ତୃତୀୟ ଦିବସ। ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ । ପ୍ରତ୍ୟୁଷରେ ଠାକୁରଙ୍କ ଅବକାଶ ନୀତି ବଢ଼ିଲେ ବେଶ ଆରମ୍ଭ ହେବ । ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଏହି ଅପୂର୍ବ ବେଶରେ ବିଭୂଷିତ କରିବେ ।ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ପାଟବସ୍ତ୍ର କଛା ମାରି ପିନ୍ଧି ସୁବର୍ଣ୍ଣ ଶ୍ରୀପୟର, ଶ୍ରୀହସ୍ତ ଏବଂ ଆୟୁଧମାନ ଲାଗି ହେବେ । ଅତିବଡ଼ୀ ସଂପ୍ରଦାୟ ଭକ୍ତଙ୍କର ଏହି ବେଶ ଅତିପ୍ରିୟ । ମଙ୍ଗଳବାର ଭଳି ଆଜି ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଭକ୍ତ। ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଦର୍ଶନ ପାଇଁ ବଡ଼ ଦାଣ୍ଡରେ ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳ ଚହଳ।

ସୂଚନା ମୁତାବିକ, ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ କଟକଣା ଜାରି ହୋଇଛି। କରୋନା କଟକଣା ଦୃଷ୍ଟିରେ ରଖି ପୁରୀବାସୀ ପଶ୍ଚିମଦ୍ୱାର ଓ ପୁରୀ ତଥା ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତଙ୍କ ପାଇଁ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ ବ୍ୟବସ୍ଥା ପୂର୍ବପରି କାୟମ ରହିଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମରିଚୀକୋଟ ଛକଠାରୁ ଲମ୍ବା ବାରିକେଡ୍‌ର ବ୍ୟବସ୍ଥା କରାଯାଇଛି । ପଞ୍ଚୁକର ଶେଷ ଦିନରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହେବ । କିନ୍ତୁ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ଏହିଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ପଞ୍ଚୁକ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗୁରୁବାର ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ କରାଯିବାର କାର୍ଯ୍ୟକ୍ରମ ରହିଛି ।