ଆଜି ଉଦଘାଟନୀ ଉତ୍ସବ ସହ ଅଗଷ୍ଟ ୮ ଯାଏଁ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ଶୁଭାରମ୍ଭ,ଭାରତରୁ ୧୨୭ ଖେଳାଳି

ଟୋକିଓ: କୋଭିଡ୍‌-୧୯ ଯୋଗୁଁ ଗୋଟିଏ ବର୍ଷ ସ୍ଥଗିତ ରହିବା ପରେ ବି ଟୋକିଓ ଅଲିମ୍ପିକ୍ସ ଉପରୁ ଏହି ମହାମାରୀର ବିପଦ ଟଳି ନାହିଁ । ଆୟୋଜକ ନଗରୀ ଟୋକିଓରେ ବି କରୋନା ସ୍ଥିତି ବେଶ୍ ଗମ୍ଭୀର । ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଦର୍ଶକଙ୍କୁ ବାରଣ କରାଯାଇଛି ।ଏଠାରେ ପ୍ରତ୍ୟହ ହଜାରେରୁ ଊର୍ଦ୍ଧ୍ୱ ମାମଲା ରେକର୍ଡ କରାଯାଉଛି । ତନ୍ମଧ୍ୟରୁ ଅଲିମ୍ପିକ୍ସରେ ଏଯାବତ ଠାବ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ନଗଣ୍ୟ ଥିଲେ ବି ପ୍ରତିଯୋଗୀଙ୍କ ମନରେ ଭୟ ରହିଛି ।

ଦେଶବାସୀଙ୍କ ବିରୋଧ ଓ ବିକ୍ଷୋଭ ସତ୍ତ୍ୱେ ବିନା ଦର୍ଶକରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ଏହି ପୁରାତନ ଓ ସର୍ବଶ୍ରେଷ୍ଠ ପ୍ରତିଷ୍ପର୍ଦ୍ଧା । କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ମହାମାରୀର ଭୟ ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ଥରର ଅଲିମ୍ପିକ୍ସରେ ୨୦୦ରୁ ଅଧିକ ଦେଶର ପାଖାପଖି ୧୧୪୦୦ ପ୍ରତିଯୋଗୀ ନିଜ ଅପୂର୍ବ କ୍ରୀଡ଼ା ଦକ୍ଷତାର ବଳିଷ୍ଠ ନିଦର୍ଶନ ଦେବେ । ୩୩ କ୍ରୀଡ଼ାର ୫୦ ଶୃଙ୍ଖଳା ଓ ୩୩୯ ଇଭେଣ୍ଟରେ ଜାପାନ ରାଜଧାନୀ ଟୋକିଓରେ ଶୁକ୍ରବାରଠାରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କ୍ରୀନା ମହାସମର । କରୋନା କାରଣରୁ ଅଲିମ୍ପିକ୍ସ ୨୦୨୦ରେ ହେବାକୁ ଥିବା ବେଳେ ଏହାକୁ ଘୁଞ୍ଚାଇ ଚଳିତ ବର୍ଷ କରାଯାଉଛି ।

ତେବେ ଚଳିତ ବର୍ଷର ଅଲିମ୍ପିକ୍ସ ଅନେକ ଦୃଷ୍ଟିରୁ ଅସ୍ୱାଭାବିକ,ଅସାଧାରଣ, ଓ ଆହ୍ୱାନପୂର୍ଣ୍ଣ ରହିବ । ଏଥିସହିତ ପଦକ ପ୍ରଦାନ, ଆଲିନଗନ ଓ କରମର୍ଦ୍ଦନ ଭଳି ଅନେକ ପ୍ରକ୍ରିୟା ଉପରେ କଟକଣା ଲାଗୁ କରାଯାଇଛି । ଅନ୍ୟପକ୍ଷେ ଏସବୁ ସତ୍ତ୍ୱେ ଆବେଗ ଭିତରେ ଏକତା’ର ବାର୍ତ୍ତା ବହନ କରୁଥିବା ଟୋକିଓ ଅଲିମ୍ପିକ୍ସ ସଫଳତାର ସହ ଶେଷ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଆଶା ରଖିଛି । ତେବେ ପ୍ରଥମ ଥର ପାଇଁ ୧୨୭ ଜଣ ଖେଳାଳିଙ୍କୁ ଭାରତ ଟୋକିଓ ପଠାଇଥିବା ବେଳେ ନିଜ ପଦକ ସଂଖ୍ୟାକୁ ୨ ଅଙ୍କରେ ପହଞ୍ଚାଇବ ବୋଲି ଆଶା ରଖିଛି । ଯଦି ଓଡ଼ିଶା କଥା ଦେଖିବା ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରାହିଦାସ, ଦୀପଗ୍ରେସ ଏକ୍କା, ନମିତା ଟୋପ୍ପୋ ଓ ଦୌଡ଼ରାଣୀ ଦୂତି ଚାନ୍ଦ ଏଥର ଅଲିମ୍ପିକ୍ସରେ ନିଜ କମାଲ ଯାଦୁ ଦେଖାଇବେ ।

କରୋନା ମହାମାରୀ ଜନିତ ନିରାଶା ମଧ୍ୟରେ ବିଶ୍ୱ କ୍ରୀଡାର ଏହି ମହାକୁମ୍ଭ ଆୟୋଜନ ପାଇଁ ପ୍ରସ୍ତୁତ ଟୋକିଓ ନଗରୀ । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଚଳିତ ଥରର ସଂସ୍କରଣକୁ ‘ଆଶାର ଅଲିମ୍ପିକ୍ସ’ ଭାବେ ଅଭିହିତ କରିଥିବା ବେଳେ ନିଜ ଇତିହାସରେ ସବୁଠୁ ବଡ଼ ଦଳ ସହ ଯାଇଥିବା ଭାରତ ମଧ୍ୟ ଏଥର ନିଜ କ୍ରୀଡା ସାମର୍ଥ୍ୟର ପ୍ରଦର୍ଶନ ପାଇଁ ଅଣ୍ଟା ଭିଡିଛି । ଏଥର ଟୋକିଓରେ ଏକ ନୂଆ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ବିଶେଷକରି ଶୁଟିଂ, ବକ୍ସିଂ, ରେସଲିଂରେ ଏକାଧିକ ପଦକ ସହ ନିଜ ନୈରାଶ୍ୟଜନକ ଅଲିମ୍ପିକ୍ସ ରେକର୍ଡ ସୁଧାରିବାକୁ ଆଉ ଏକ ସୁଯୋଗ ପାଇଛି ଭାରତ ।