ଲଘୁଚାପ କବଳରେ ଶାରଦୀୟ ପୂଜା ବଜାର: ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ସାବଧାନ
ଲଘୁଚାପ ଜନିତ ବର୍ଷା ଓ ପବନ ଭିତରେ କଟିଯିବ ଶାରଦୀୟ ପୂଜା ମାହୋଲ ।
ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପ୍ରଭାବିତ ହେବାକୁ ଯାଉଛି । ଦୁର୍ଗାପୂଜା ବଜାର ଏକପ୍ରକାର ମାନ୍ଦା ପଡ଼ିଯିବ । ଲାଗ ଲାଗ ଦୁଇଟି ଲଘୁଚାପ ଏବେ ବଙ୍ଗୋପସାଗର ଉପରେ ଅଳସ ଭାଙ୍ଗୁଛି ।
ଆଗାମୀ ୧୨ ଘଂଟା ଭିତରେ ଗୋଟିଏ ଲଘୁଚାପ ଘନୀଭୂତ ହେବ । ଆଉ ଗୋଟିଏ ଲଘୁଚାପ ବଳୟ ମୁଣ୍ଡ ଟେକିଛି ।
ଏହି ଦୁଇଟି ଲଘୁଚାପ ପ୍ରଭାବରେ ବଙ୍ଗୋପ ସାଗରର ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ର ଅଂଚଳ ଅଶାନ୍ତ ରହିବ ।
ଫଳରେ ସେପ୍ଟେମ୍ବର ୨୬ ଓ ୨୭ ତାରିଖ ପଶ୍ଚିମବଙ୍ଗ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଇଲାକାରେ ତୁହାକୁ ତୁହା ବର୍ଷା, ଛୋଟକାଟର ବାତ୍ୟା ଆଶଙ୍କା କରାଯାଉଛି ।
ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି ଜିଲ୍ଲାରେ ବାଦଲଫଟା ବର୍ଷା ହେବାର ଆଶଙ୍କା ରହିଛି । ଉପକୂଳ ଇଲାକାରେ ଘଂଟାକୁ ୪୦ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି ।
ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ମାଛଧରାଳୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।