ଫୁଲୁଛି ମହାନଦୀ, ଉପର ମୁଣ୍ଡରେ ମୂଷଳ ଧାରାରେ ବର୍ଷା ହେବା କାରଣରୁ ହୀରାକୁଦ ଜଳଭଣ୍ଡାର ପ୍ରତି ବିପଦ ବଢ଼ିଯାଇଛି ।
ମହାନଦୀର ଜଳସ୍ତର ଦେଖିବା ପରେ ଚିନ୍ତା ପ୍ରକଟ କରିଛି ରାଜ୍ୟ ଜଳ ସଂପଦ ବିଭାଗ । ହୀରାକୁଦ ଜଳଭଣ୍ଡାରରୁ ପ୍ରାୟ ୧୬ଟି ଫାଟକ ବାଟ ଦେଇ ପ୍ରତି ସେକେଣ୍ଡରେ ୨.୯୫ ଲକ୍ଷ କୁ୍ୟସେକ୍ ଜଳ ନିଷ୍କାସନ ଚାଲିଛି ।
ପରିଣାମ ସ୍ୱରୂପ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା କଟକ ମୁଣ୍ଡଳୀ ନିକଟରେ ପ୍ରାୟ ୭ ଲକ୍ଷ କୁ୍ୟସେକ୍ ବନ୍ୟାଜଳ ପହଂଚିବ ।
ଫଳରେ ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକରେ ବଡ଼ ଧରଣର ବନ୍ୟା ଆଶଙ୍କା କରାଯାଉଛି । ବୁଧବାର ଦିନ ହୀରାକୁଦ ଉପର ମୁଣ୍ଡରେ ପ୍ରାୟ ୪୧ ମିଲିମିଟର ବର୍ଷା ହୋଇଛି ।
ସମ୍ବଲପୁରରେ ସର୍ବାଧିକ ବର୍ଷା ହୋଇଥିଲା । ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୨ ଲକ୍ଷ ୫୮ ହଜାର କୁ୍ୟସେକ୍ ଜଳ ପ୍ରବେଶ କରୁଛି ।
ହୀରାକୁଦ ଜଳଭଣ୍ଡାର ଜଳଧାରଣ କ୍ଷମତା ୬୩୦ ଫୁଟ । ଗୁରୁବାର ସକାଳ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୯.୧୫ ଫୁଟ ଥିଲା ।
ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି ।