ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ଟାଙ୍ଗୀ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତର ମୃତଦେହ ଉଦ୍ଧାର ହୋଇଛି। ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳର ମୃତଦେହ ଉଦ୍ଧାର କରିଛି ପୋଲିସ । ନିର୍ମାଣଧୀନ ଟୋଲ ଗେଟ୍ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ଟ୍ରକ ଚାପାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।ଟ୍ରକ ମୁଣ୍ତ ଉପରେ ଚଢ଼ି ଯାଇଥିବାରୁ ମୃତଦେହର ମୁହଁ ସ୍ପଷ୍ଟ ଜଣାପଡୁନି। ଘଟଣାସ୍ଥଳରେ ପୁଲିସ ବାଇକ, ପର୍ସ ଓ ମୋବାଇଲ ଜବତ କରିଛି । ଜବତ ହୋଇଥିବା ଜିନିଷରୁ ପୁଲିସ ଜାଣିବାକୁ ପାଇଛି ଯେ ଉକ୍ତ ବ୍ୟକ୍ତି ଜଣକ ମାହାଙ୍ଗା ନୃତ୍ତାଙ୍ଗର ପ୍ରଫୁଲ୍ଲ ବିଶ୍ବାଳ। ମୃତ ଶରୀରକୁ ପୁଲିସ ବ୍ୟବଚ୍ଛେଦ ପାଇଁ ଡ଼ାକ୍ତରଖାନା ପଠାଇଛି।
ସୂଚନା ଅନୁଯାୟୀ, ମାହାଙ୍ଗା ଡ଼ବଲ ମର୍ଡ଼ର ଓ ବିକାଶ ଜେନା ହତ୍ୟକାଣ୍ତରେ ଫେରାର ଥିବା ସରପଞ୍ଚଙ୍କ ସ୍ୱାମୀ ପ୍ରଫୁଲ୍ଲ ବିଶ୍ବାଳ ପୁଲିସକୁ ଚକମା ଦେଇ ବୁଲୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କଟକ ଟାଙ୍ଗୀ ଟୋଲ ଗେଟ୍ ନିକଟରୁ ଏକ ଟ୍ରକ ଚକା ତଳୁ ତାଙ୍କ ମୃତଶରୀର ଠାବ କରିଛି ଟାଙ୍ଗୀ ଥାନା ପୁଲିସ। ମୁହଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାରୁ ପୁଲିସ ପ୍ରଥମେ ବ୍ୟକ୍ତିଙ୍କ ପରିଚୟ ପାଇ ପାରି ନ ଥିଲା। ପରେ ଘଟଣାସ୍ଥଳରୁ ଗାଡ଼ି, ଉକ୍ତ ବ୍ୟକ୍ତିଙ୍କ ପକେଟରୁ ପର୍ସ, ମୋବାଇଲ ଜବତ କରିଥିବାରୁ ପ୍ରଫୁଲ୍ଲ ବିଶ୍ବାଳଙ୍କ ପରିଚୟ ପାଇ ପାରିଛି।