ବାୟୁସେନାରେ ସାମିଲ ହେଲା ‘ରାଫେଲ’

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଫ୍ରାନ୍ସରୁ ଆସିଥିବା ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ୍ ହସ୍ତାନ୍ତର କରାଯାଇଛି। ଏଥିପାଇଁ ହରିୟାଣା ସ୍ଥିିତ ଅମ୍ବାଲା ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ଏଥିରେ ଉପସ୍ଥିତ ରହି ନୂଆ ଯୁଗର ଆରମ୍ଭ ହେଲା ବୋଲି କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ଆସିଥିବା ୫ଟି ରାଫେଲ୍ ବାୟୁସେନାକୁ ମିଳିଛି। ଯେଉଁଥିରେ କି ଦୁଇଟି ଡବଲ୍ ସିଟର ଏବଂ ତିନୋଟି ସିଙ୍ଗଲ୍ ସିଟର ବିମାନ ରହିଛି। ଭାରତୀୟ ବାୟୁସେନାର ୧୭ ନଂ ସ୍କ୍ୱାର୍ଡ଼ନ ‘ଗୋଲ୍ଡେନ ଆରୋ’ର ଅନ୍ତର୍ଭୁକ୍ତ ହୋଇଛି ରାଫେଲ୍। ଏହି ସ୍କ୍ୱାର୍ଡ଼ନର ଗ୍ରୁପ୍ କ୍ୟାପଟେନ୍ ହରକିରତ୍ ସିଂଙ୍କୁ ଆଜିର କାର୍ଯ୍ୟକ୍ରମରେ ରାଫେଲ୍ ସାମିଲ ହେବାନେଇ ସ୍କ୍ରୋଲ ପ୍ରଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଆସନ୍ତା ଅକ୍ଟୋବରରେ ପୁଣି ୩ ରୁ ୪ଟି ରାଫେଲ ବାୟୁସେନାରେ ସାମିଲ୍ ହେବ। ୨୦୨୧ ସୁଦ୍ଧା ସମସ୍ତ ୩୬ଟି ରାଫେଲ୍ ଭାରତକୁ ହସ୍ତାନ୍ତର କରିବାକୁ ଲକ୍ଷ ରଖିଛି ଫ୍ରାନ୍ସ।

ଆଜିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମସ୍ତ ଧର୍ମର ପୂଜକଙ୍କ ଦ୍ୱାରା ପୂଜାର୍ଚନା ଓ ମନ୍ତ୍ରପାଠ କରି ରାଫେଲକୁ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା। ରାଫେଲକୁ ପୁନର୍ବାର ୱାଟର ସାଲ୍ୟୁଟ୍ ଦିଆଯିବା ସହ ଜାଗୁଆର୍, ତେଜସ ଏବଂ ସୁଖୋଇ ୩୦ ଲଢ଼ୁଆ ବିମାନ ସହ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲା ରାଫେଲ୍। ବର୍ତ୍ତମାନର ସୀମା ପରିସ୍ଥିତିକୁ ଦେଖି ବାୟୁସେନାକୁ ରାଫେଲ୍ ହସ୍ତାନ୍ତରର ଏହାଠାରୁ ଆଉ ପ୍ରକୃଷ୍ଟ ନାହିଁ ବୋଲି ଏହି ଅବସରରେ ବାୟୁ ସେନା ମୁଖ୍ୟ ଆରକେଏସ୍ ଭଦୋରିଆ କହିଛନ୍ତି। ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ପ୍ରତି ଲୋଲୁପ ଦୃଷ୍ଟି ପକାଉଥିବା ଶକ୍ତିଙ୍କୁ ରାଫେଲ୍ କଡ଼ା ଜବାବ ଦେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୧୮ ଟି ରାଫେଲ୍ ବିମାନ ଅମ୍ବାଲା ଏୟାର ବେସଠାରେ ମୁତୟନ କରାଯିବ। ପରେ ଅନ୍ୟ ୧୮ଟି ବିମାନ ପଶ୍ଚିମବଙ୍ଗର ହାସିମାରା ଏୟାରବେସରେ ରଖାଯିବା ନେଇ ଯୋଜନା ହୋଇଛି। ଉଭୟ ପଟୁ ପାକିସ୍ତାନ ଏବଂ ଚୀନକୁ ଟକ୍କର ଦେବାଭଳି ସ୍ଥିତିରେ ଭାରତ ରାଫେଲର ଉପଯୋଗ କରିବ। ଭାରତ ରାଫେଲ୍ ଭଳି ଅନ୍ୟ ବିମାନ ନେଇ ନୂଆ ଚୁକ୍ତି କଲେ ଯୋଗାଇ ଦିଆଯିବ ବୋଲି ଏହି ଅବସରରେ ରାଫେଲ୍ ନିର୍ମାତା କମ୍ପାନୀ ଡାସଲ୍ଟ ଆଭିଏସନର ସିଇଓ କହିଛନ୍ତି।

ରାଫେଲର ସ୍ୱତନ୍ତ୍ରତା:

  • ଆକାଶ ମାର୍ଗରୁ ଭୂପୃଷ୍ଠକୁ ଏବଂ ଉଡ଼ୁଥିବା ଅନ୍ୟ ବିମାନକୁ କ୍ଷେପଣାସ୍ତ୍ର ନିକ୍ଷେପ କରିପାରିବ
  • ଗୋଟିଏ ମିନିଟରେ ୬୦ ହଜାର ଫୁଟକୁ ଉଡ଼ିପାରିବ
  • ୨୪ ହଜାର ୫୦୦ କିଲୋର ଅସ୍ତ୍ରଶସ୍ତ୍ର ଧାରଣ କରି ଉଡିବାର ରହିଛି କ୍ଷମତା
  • ୩୦୦ କିମି ଦୂରରୁ ଭୂପୃଷ୍ଠକୁ ଲକ୍ଷ୍ୟ ଭେଦ କରିପାରିକ
  • ୧୦୦ କିଲୋମିଟର ଅଞ୍ଚଳରେ ଶତ୍ରୁର ଯେକୌଣସି ଲଢ଼ୁଆ ବିମାନକୁ ଟାର୍ଗେଟ କରିବାକୁ ସକ୍ଷମ