ଭୁବନେଶ୍ୱର,(ଏସ୍ ନ୍ୟୁଜ): କରୋନା ମହାମାରୀ ତାର ଦ୍ୱିତୀୟ ପର୍ଯାୟର ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ହଇଚଇ ଚଳାଇଥିବା ସମୟରେ ଏବେ ସଟଡାଉନ ଓ ଲକଡାଉନ ନିୟମ ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଶ୍ରମିକଙ୍କୁ ସିମେଂଟ ସ୍ଲାପରେ ଛେଚି ହତ୍ୟା କରା ଯାଇଛି। ଘଟଣାଟି ଖାରବେଳନଗର ଥାନା ମାଷ୍ଟରକ୍ୟାଂଟିନ ଛକରେ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଏସକେ ଅବଦୁଲ (୩୫) । ଏହି ଘଟଣାରେ ପୋଲିସ ୨୪ ଘଣ୍ଟା ଭିତରେ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି। ଗିରଫ ହତ୍ୟାକାରୀ ଜଣକ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରୁହା ଗ୍ରାମର ସୁମୁ ସିଂ (୨୫) ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ଏସକେ ଅବଦୁଲ ଓ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରୁହା ଗ୍ରାମର ସୁମୁ ସିଂ ଦୁହେଁ ଶ୍ରମିକ ଭାବେ ରାଜଧାନୀରେ କାମ କରନ୍ତି । ଦୁହେଁ ମାଷ୍ଟରକ୍ୟାଟିଂନ୍ ସ୍ୱସ୍ତି ହୋଟେଲ ସମ୍ମୁଖରେ ରହୁଥିଲେ । ଟଙ୍କା ଦିଆନିଆକୁ ନେଇ ୧୫ ଦିନ ତଳେ ଏସକେ ଅବଦୁଲ ରାଗିଯାଇ ସୁମୁକୁ ଆକ୍ରମଣ କରିବା ସହ ମାଡ ମାରିଥିଲା । ପ୍ରତିଶୋଧ ନେବା ଅପେକ୍ଷାରେ ରହିଥିଲା ସୁମୁ । ଗତକାଲି ରାତିରେ ଦୁହେଁ ସ୍ୱସ୍ତି ହୋଟେଲ ସମ୍ମୁଖ ରାସ୍ତା କଡ ରୋଡ ନିକଟରେ ବସିଥିବାବେଳେ ପୂର୍ବ ରାଗକୁ ନେଇ ପୁଣି ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗିଯାଇ ସୁମୁ ଏକ ସ୍ଲାପକୁ ଅବଦୁଲ ଛାତିକୁ ପିଟିଦେବା ଫଳରେ ସେ ଗୁରୁତର ହୋଇପଡିଥିଲା । ସ୍ଥାନୀୟ ଲୋକେ ତାକୁ ହସ୍ପିଟାଲ ନେଇଥିଲେ ମଧ୍ୟ ତାର ମୃତ୍ୟୁ ଘଟିଥିଲା । ପୁଲିସ ମୃତଦେହକୁ ଜବତ କରିବା ସହ ହତ୍ୟାକାରୀ ସୁମୁକୁ ଗିରଫ କରିଛି ।
Next Post