୧୮୫ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ ନିଯୁକ୍ତି

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ରାଜ୍ୟରେ ୧୮୫ କନିଷ୍ଠ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସରକାର ସ୍ଥାୟୀ ନିଯୁକ୍ତି ଦେଇଛନ୍ତି । ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଦ୍ୱାରା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ପରେ ସେମାନେ ଗୃହ ବିଭାଗରେ ନିଯୁକ୍ତି ପାଇଛନ୍ତି । ଶୁକ୍ରବାର ନବନିଯୁକ୍ତ କନିଷ୍ଠ ଡାଟା ଏଣ୍ଟ୍ରି ଅପରେଟରଙ୍କ ଏକ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁୁଆଲ ଜରିଆରେ ଏହାକୁ ସମ୍ବୋଧିତ କରି କହିଛନ୍ତି ଯେ ଡାଟା ଏଣ୍ଟ୍ରି ଅପରେଟରମାନେ ପ୍ରଶାସନରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବେ । ୫-‘ଟି’ ଉପକ୍ରମର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇଥିବାରୁ ଏମାନେ ଗୁରୁତ୍ୱର ସହ କାର୍ଯ୍ୟ କରିବେ । ଜ୍ଞାନ ତଥା ଅଭିଜ୍ଞତା ବଳରେ ସେମାନେ ପ୍ରଶାସନ ପାଇଁ ଅତ୍ୟନ୍ତ ଉପଯୋଗୀ ହେବେ । ନବନିଯୁକ୍ତଙ୍କୁ ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରୟାସ ଜାରି ରଖିବା ନିମନ୍ତେ ଆହ୍ୱାନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପ୍ରଶାସନର ଫଳପ୍ରଦ କାର୍ଯ୍ୟକାରିତାରେ ତଥ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ନିଷ୍ପତ୍ତି ଓ ସେବା ପ୍ରଦାନର ତ୍ୱରିତ ରୂପାୟନ ନିମନ୍ତେ ତଥ୍ୟ ସୃଷ୍ଟି, ସଂରକ୍ଷଣ, ସୁରକ୍ଷା ଓ ହସ୍ତାନ୍ତରଣ ଆଦି ଆବଶ୍ୟକ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ, ଏବେ ଯେଉଁଭଳି ଶାସନରେ ସ୍ୱଚ୍ଛତା ଆସିଛି, ତାହା ୩୦ ବର୍ଷ ପୂର୍ବରୁ ନଥିଲା । ଏବେ ଶାସନ ଲୋକାଭିମୁଖୀ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ ଯୋଗୁଁ ତାହା ସମ୍ଭବ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଏବେ ରାଜ୍ୟର ସବୁ କାର୍ଯ୍ୟ ଅନଲାଇନରେ ହେଉଥିବାରୁ ଜୁନିଅର ଡାଟା ଏଣ୍ଟ୍ରି ଅପରେଟରଙ୍କ ଭୂମିକା ଅଧିକ ରହିବ । ତେଣୁ ବୈଷୟିକ ଜ୍ଞାନ ହିଁ ଶାସନର ଦକ୍ଷତା ବୃଦ୍ଧି କରିବ । ଏଥିପାଇଁ ନବନିଯୁକ୍ତମାନେ ସତର୍କ ରହିବା ଜରୁରୀ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଓ ଅନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-‘ଟି’ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।