ଆଲିଆନ୍ସ ଏୟାର ଭୁବନେଶ୍ୱର-କୋଲକାତା ବିମାନସେବା ଯୋଗାଇବ

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ଭୁବନେଶ୍ୱରରୁ କୋଲକାତାକୁ ବିମାନସେବା ଆରମ୍ଭ କରିବାକୁ ଯାଉଛି । ଆସନ୍ତା ୧୧ ତାରିଖରୁ ଏହି ସେବା ଉପଲବ୍ଧ ହେବ । ତେବେ ଭୁବନେଶ୍ୱରରୁ କୋଲକାତା କିମ୍ବା କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବା ବେଳେ ଏହି ବିମାନ ସବୁ ରାଞ୍ଚି ବିମାନବନ୍ଦର ଦେଇ ଯାତ୍ରା କରିବ । ଏଣୁ ଏହି ବିମାନ ଚଳାଚଳ ଶୁଭାରମ୍ଭ ହେଲେ ଭୁବନେଶ୍ୱର-ରାଞ୍ଚି-କୋଲକାତା ମଧ୍ୟରେ ଯୋଗାଯୋଗର ନୂଆ ଅଧ୍ୟାୟ ସୃଷ୍ଟିହେବ ବୋଲି କୁହାଯାଉଛି । ପ୍ରତି ସୋମବାର, ବୁଧବାର, ଶୁକ୍ରବାର ଏବଂ ରବିବାର ଏହି ବିମାନସେବା ଜାରି ରହିବ । ଏସବୁ ଦିନରେ ବିମାନ ନଂ ୯ଆଇ-୭୨୦ ପ୍ରଥମେ ସକାଳ ୮ରେ କୋଲକାତାରୁ ଉଡ଼ାଣ ଭରିବ । ୯.୪୦ରେ ଏହା ରାଞ୍ଚିରେ ଅବତରଣ କରିବ ଏବଂ ସେଠାରେ ଅଧଘଣ୍ଟାର ରହଣି ପରେ ପୁଣି ୧୦.୧୦ରେ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଭରିବ । ଦିନ ୧୧.୧୫ରେ ଏହି ବିମାନଟି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ ।