ଆର୍ଥିକ ପରେ ଏବେ ବିଦ୍ୟୁତ ସଙ୍କଟରେ ପାକିସ୍ତାନ
ଫଳରେ ଦେଶରେ ବିଦ୍ୟୁତ ଚାହିଦା ଓ ଉତ୍ପାଦନ ପ୍ରଭେଦ ବଢି ଏବେ ୭ ହଜାର ମେଗାୱାଟକୁ ପହଞ୍ଚିଯାଇଛି…
ଇସଲାମାବାଦ: ଆର୍ଥିକ ସଂକଟଗ୍ରସ୍ତ ପାକିସ୍ତାନରେ ଏବେ ବିଦ୍ୟୁତ ସଂକଟ ଗୁରୁତର ହୋଇଛି । ଯାହାର ପ୍ରଭାବ ଏବେ ସାଧାରଣ ଲୋକଙ୍କ ସାଙ୍ଗକୁ ବାଣିଜ୍ୟ ବ୍ୟବସାୟ ଉପରେ ପଡିବାରେ ଲାଗିଲାଣି । ଏଥିରେ ଶହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରରେ ଦେଶର ବିଦ୍ୟୁତ ଉତ୍ପାଦନ କ୍ଷମତା ରେକର୍ଡ ସ୍ତରରେ ପହଞ୍ଚିଥିବାର କୁହାଯାଇଥିଲା । ବିଦ୍ୟୁତ ଉତ୍ପାଦନ ୪୧ ହଜାର ମେଗାୱାଟକୁ ପହଞ୍ଚି ଥିବାର ତଥ୍ୟ ଦିଆଯାଇଥିଲା । ଫଳରେ ଦେଶରେ ବିଦ୍ୟୁତ ଚାହିଦା ଓ ଉତ୍ପାଦନ ପ୍ରଭେଦ ବଢି ଏବେ ୭ ହଜାର ମେଗାୱାଟକୁ ପହଞ୍ଚିଯାଇଛି । ଏଥିରେ ଇନ୍ଧନ ଅଭାବ ଯୋଗୁ କେତେକ ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ ନିଜ କ୍ଷମତାର ଅଧା ବି ଏବେ ଉତ୍ପାଦନ କରିପାରୁନାହାନ୍ତି ।
ଅନ୍ତର୍ଜାତୀୟ ବଜାରରେ ଏଲଏନଜିର ମୂଲ୍ୟ ବୃଦ୍ଧି ଯୋଗୁ ପାକିସ୍ତାନ ଏଲଏନଜି ଲିମିଟେଡ ବିଦ୍ୟୁତ ପ୍ଲାଣ୍ଟ ମାନଙ୍କୁ ଗ୍ୟାସ ଯୋଗାଇ ପାରୁ ନାହିଁ । ସେହିପରି କୋଇଲାରେ ଚାଲୁଥିବା ବିଦ୍ୟୁତ ପ୍ଲାଣ୍ଟ ଲାଗି ରାଜକୋଷରେ ବୈଦେଶିକ ମୁଦ୍ରାର ଅଭାବ ଏବେ ଚିନ୍ତାର କାରଣ ପାଲଟିଛି । ବିଦେଶରୁ କୋଇଲା ଆମଦାନୀ କରିବା ପାଇଁ ରାଜକୋଷରେ ବୈଦେଶିକ ମୁଦ୍ରା ନାହିଁ । କୋଇଲା ଚାଳିତ ବିଦ୍ୟୁତ ପ୍ଲାଣ୍ଟ ଲାଗି ମେଣ୍ଟ ସରକାର ୧ ହଜାର ବିଲିୟନ ଟଙ୍କା ଜାରି କରିଛନ୍ତି ।