ଭଗତଙ୍କ ଅଧାପୋଡ଼ା ଶବ ଛାଡ଼ି ପଳାଇଲେ ଇଂରେଜ
ଫାଶୀରୁ ମୁକୁଳିବାର ଲୋଭ ମୋର ନାହିଁ । ଜୀବନର ଅନ୍ତିମ ପରୀକ୍ଷା ଦେବାକୁ ଅପେକ୍ଷା କରିଛି…
ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଦେଶ ପାଇଁ ବଳିଦାନ କରିଥିବା ମହାନ୍ ଆତ୍ମାଙ୍କ ଅମରପ୍ରେମ ଆଖି ଆଗରେ ନାଚିଯାଉଛି । ୧୯୩୧ ମାର୍ଚ୍ଚ ୨୪ ତାରିଖରେ ଭଗତ ସିଂହ, ସୁଖଦେବ ସିଂହ ଓ ରାଜଗୁରୁଙ୍କୁ ଲାହୋର ସେଂଟ୍ରାଲ ଜେଲରେ ଫାଶୀ ଦିଆଯିବା ପାଇଁ ନିଷ୍ପତି ନିଆଯାଇଥିଲା । ଭଗତ କୋର୍ଟଙ୍କ ରାୟରେ ସନ୍ତୁଷ୍ଟ ନଥିଲେ । ମାର୍ଚ୍ଚ ୨୦ ତାରିଖରେ ସେ ପଞ୍ଜାବ ଗଭର୍ଣ୍ଣରଙ୍କ ନିକଟକୁ ଚିଠି ଲେଖି ସେମାନଙ୍କୁ ଯୁଦ୍ଧବନ୍ଦୀ ଭଳି ଆଚରଣ କରି ଗୁଳି କରି ମାରିଦେଉ ବୋଲି ଜଣାଇଥିଲେ । ୧୯୩୧ ମାର୍ଚ୍ଚ ୨୨ ତାରିଖରେ ଭଗତ ତାଙ୍କର ଜଣେ ସାଥିଙ୍କ ନିକଟକୁ ଲେଖିଥିଲେ-ବଂଚିବାର ଇଛା ମୋର ମଧ୍ୟ ଅଛି, ଏହା ମୁଁ ଲୁଚାଇବାକୁ ଚାହୁଁନି । ଫାଶୀରୁ ମୁକୁଳିବାର ଲୋଭ ମୋର ନାହିଁ । ଜୀବନର ଅନ୍ତିମ ପରୀକ୍ଷା ଦେବାକୁ ଅପେକ୍ଷା କରିଛି ।
୧୯୩୧ ମାର୍ଚ୍ଚ ୨୩ ତାରିଖ ଧାର୍ଯ୍ୟ ସମୟର ୧୨ ଘଂଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୭ଟା ୩୩ ମିନିଟରେ ଭଗତ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶୀ ଦିଆଗଲା । ଫାଶୀଖୁଂଟ ନିକଟରେ ଜେଲର ଚରତ ସିଂହ ଭଗତହଙ୍କ କାନରେ ଈଶ୍ୱରଙ୍କ ନାମ ଉଚ୍ଚାରଣ କରିବାକୁ କହିଲେ । ତହୁଁ ଭଗତ କହିଲେ, ଜୀବନରେ କେବେ ଈଶ୍ୱରଙ୍କ ନାଁ ଉଚ୍ଚାରଣ କରିନି । ହଁ କିଛି ଗରିବଙ୍କ ଦୟନୀୟ ଅବସ୍ଥା ପାଇଁ ଈଶ୍ୱରଙ୍କୁ ମନଭରି ଗାଳିଦେଇଛି । ଏବେ ତାଙ୍କ ନାଁ ଉଚ୍ଚାରଣ କଲେ, ସେ ଭାବିବେ ଯେ ମୋଭଳି ବଡ଼ ଭୟାଳୁ ଆଉ କେହି ନୁହନ୍ତି । ଏବେ ଈଶ୍ୱରଙ୍କୁ କ୍ଷମା ମାଗିଲେ କ’ଣ ମୁଁ ଫାଶୀଦଣ୍ଡରୁ ମୁକୁଳିଯିବି ।
ଏ ତ ଗଲା ଜେଲ ଭିତର କଥା । ଜେଲ ବାହାରେ ପ୍ରବଳ ଜନଗହଳି ଦେଖି ଇଂରେଜ ଡରିଗଲେ । ଜେଲ ପଛପଟ ପାଚେରୀକୁ ଭାଙ୍ଗି ସେହିବାଟେ ଟ୍ରକଟିଏ ଆଣି ତା’ ଡାଲାରେ ଭଗତ, ସୁଖଦେବ ଓ ରାଜଗୁରୁଙ୍କ ମୃତଦେହକୁ ଜିନିଷପତ୍ର ଭଳି ଲଦି ନିଆଗଲା । ତିନିଜଣଙ୍କୁ ରାବି ନଦୀକୂଳରେ ପୋଡ଼ିବାର ଥିଲା । ମାତ୍ର ଉକ୍ତ ନଦୀରେ ଅଳ୍ପ ପାଣି ଥିବାରୁ ସତଲେଜ କୂଳକୁ ନିଆଗଲା । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଫାଶୀ ଦିଆଯିବାରୁ ଲୋକମାନେ ତାତି ଉଠିଲେ । କେଜାଣି କେମିତି ଖବର ପାଇ ଲୋକମାନେ ସତ୍ଲେଜ ନଦୀକୂଳରେ ପହଂଚିଗଲେ । ଲୋକମାନେ ମାଡ଼ି ଆସୁଥିବାର ଦେଖି ଇଂରେଜମାନେ ତିନିଜଣଙ୍କ ଅଧାପୋଡ଼ା ଶବକୁ ଛାଡ଼ି ଜୀବନ ବିକଳରେ ଗାଡ଼ିରେ ବସି ଛୁ’ ମାରିଲେ ।
ଫୈସଲାବାଦ-ଜଡାନବାଲା ରୋଡ଼ ଉପରେ ଭଗତ ସିଂହଙ୍କ ଗାଁ ବଂଗା । ଭଗତଙ୍କୁ ମନେରଖିବା ପାଇଁ ଗାଁ’ର ନାମ ‘ଭଗତପୁର’ ରଖାଯାଇଛି । ସାଧାରଣ ଲୋକଙ୍କ ଘର ଭଳି ଭଗତଙ୍କ ଘର । ଘର ଭିତରେ ସଜାଇ ରଖାଯାଇଛି ଭଗତ ସିଂହଙ୍କ ବ୍ୟବହୃତ ସାମଗ୍ରୀମାନ । ଭଗତଙ୍କ ବାପା କିଶନ ସିଂହ ଓ ତାଙ୍କ ଦାଦା ଅଜିତ ସିଂହ ଓ ସୋରନ୍ ସିଂହ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଭଗତ ଯେଉଁ ସ୍କୁଲରେ ପାଠ ପଢୁଥିଲେ; ତାହା ଏବେ ବି ଗାଁରେ ବିଦ୍ୟମାନ । ଗ୍ରାମବାସୀମାନେ ଗର୍ବର ସହ କହନ୍ତି, ଭାରତ ଇତିହାସ ହେଉ କି ପାକିସ୍ତାନ, ଭଗତଙ୍କ ବିନା ଅଧା ।