ହାତଗଣ୍ଠି ପଡ଼ିବା ବଦଳରେ ପଡ଼ିଲା କାତକଡ଼ି ଉଠାଇ ନେଲା ପୁଲିସ୍‌

ବେଦିରେ ବର କନିଆ ବସିଥାଆନ୍ତି। ବାଜା ଓ ମହୁରୀ, ଢୋଲ ବାଜୁଥାଏ। ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଇଥିବା ବାହାମଣ୍ଡପ। ତେବେ ହାତଗଣ୍ଠି ପଡ଼ିବା ବଦଳରେ ପଡ଼ିଲା କାତକଡ଼ି।ଅଧା ଅଟକିଥିଲା ବାହାଘର। ବାହାବେଦିରୁ ବରକୁ ଉଠାଇ ନେଲା ପୁଲିସ୍‌। ବାହାଘର ବେଳେ ଏଭଳି ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଥିଲା ରାଜଭବନ ପଛ ପାର୍ଶ୍ୱ ରାଧାକୃଷ୍ଣ ମନ୍ଦିରରେ।ସୂଚନା ମୁତାବକ, ଶୁକ୍ରବାର ଦିନ ପାଖାପାଖି ୩ଟା ‌ହେବ। ରାଧାକୃଷ୍ଣ ମନ୍ଦିରରେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିତେନ୍ଦ୍ର ସ୍ବାଇଁଙ୍କ ବାହାଘର ଚାଲିଥାଏ।

ହଠାତ୍‌ ଜଣେ ମହିଳା(କୁନି) ପହଞ୍ଚି ବରକୁ ନିଜ ସ୍ବାମୀ ବୋଲି କହିଥି‌ଲେ। ପୂର୍ବରୁ ତାଙ୍କୁ ସେ କୋଲକତାରେ ବିବାହ କରିଥିବା କହିଥିଲେ। ଯାହାକୁ ନେଇ ମହିଳା ଓ ବରଘର ମଧ୍ୟ କଥା କଟାକଟି ହୋଇଥିଲା। ସ୍ଥିତି ଅଣାୟତ ହେବାରୁ ସାଙ୍ଗରେ ଆସିଥିବା ପୁଲିସ୍‌ ଟିମ୍‌ ହସ୍ତକ୍ଷେପ କରିବା ପରେ ସ୍ଥିତି ଆୟତ ହୋଇଥିଲା। ଏହାପରେ ବର ଓ ମହିଳାଙ୍କୁ ଥାନାକୁ ନେଇଥିଲା। ଆଉ ଉଭୟଙ୍କୁ ପଚରାଉଚରା କରାଯାଇଛି ।