ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ସମାବର୍ତ୍ତନ ଦିବସ ଛାତ୍ରଛାତ୍ରୀଙ୍କ ଆଶାଜନକ ଭବିଷ୍ୟତର ମାର୍ଗ ଖୋଲିଥାଏ । ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ, ସେମାନେ ବର୍ତ୍ତମାନ ଏକ ଭିନ୍ନ ପରିବେଶରେ ପ୍ରବେଶ କରୁଛନ୍ତି ଯେଉଁଥିରେ ସେମାନେ ବାସ୍ତବ ବୈଶ୍ବିକ ପରିସ୍ଥିତିରେ ସେମାନଙ୍କ ଜ୍ଞାନ ଓ ଦକ୍ଷତାର କଠୋର ପରୀକ୍ଷାର ସମ୍ମୁଖୀନ ହେବେ । ସେମାନେ ହାସଲ କରିଥିବା ଜ୍ଞାନ ଓ କୌଶଳର ସର୍ବୋତ୍ତମ ପ୍ରୟୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବେ ବୋଲି ଆଶା କରାଯାଏ । ଅଭିନବ ଚିନ୍ତାଧାରା ଓ ଉତ୍ସର୍ଗୀକୃତ କାର୍ଯ୍ୟ ମାଧ୍ୟମରେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଜାତୀୟ ଲକ୍ଷ୍ୟରେ ଯୋଗଦାନ କରିବାକୁ ସେ ଅନୁରୋଧ କରିଥିଲେ ।
ରାଷ୍ଟ୍ରପତି କହିଥିଲେ ଯେ, ଏପରି ଏକ ସମୟ ଥିଲା ଯେତେବେଳେ ଆମେ ଖାଦ୍ୟଶସ୍ୟ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲୁ । ବର୍ତ୍ତମାନ ଆମେ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ କୃଷି ଜାତ ଦ୍ରବ୍ୟ ରପ୍ତାନି କରୁଛୁ । ଆମ କୃଷି ବୈଜ୍ଞାନିକମାନଙ୍କ ମାର୍ଗଦର୍ଶନ ଏବଂ କୃଷକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ରାଷ୍ଟ୍ରପତି କହିଥିଲେ ଯେ କୃଷି ଓ କୃଷକଙ୍କ ବିକାଶ ବିନା ଦେଶର ସାମଗ୍ରିକ ବିକାଶ ସମ୍ଭବ ନୁହେଁ । କୃଷି, ମତ୍ସ୍ୟ ଉତ୍ପାଦନ ଏବଂ ପଶୁସମ୍ପଦର ବିକାଶ ଦ୍ୱାରା ଆମର ଅର୍ଥବ୍ୟବସ୍ଥା ସୁଦୃଢ଼ ହୋଇପାରିବ । ସେ କହିଥିଲେ ଯେ ଆଜି କୃଷି କ୍ଷେତ୍ର ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ, ମୁଣ୍ଡପିଛା ଚାଷ ଜମି ଆକାର ହ୍ରାସ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ ଭଳି ନୂତନ ଆହ୍ୱାନର ସମ୍ମୁଖୀନ ହେଉଛି । ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମ ବୈଜ୍ଞାନିକମାନଙ୍କୁ ଠିକ୍ ସମୟରେ ପ୍ରଯୁକ୍ତିବିଦ୍ୟା ବିକଶିତ ଏବଂ ପ୍ରସାର କରିବାକୁ ପଡିବ । ଆମକୁ ପରିବେଶ ସୁରକ୍ଷା, ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷା, ଜଳ ଓ ମୃତ୍ତିକା ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦର ଉନ୍ନତ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପଡିବ ।
ରାଷ୍ଟ୍ରପତି କହିଥିଲେ ଯେ, ତାପମାତ୍ରା ଏବଂ ଗ୍ରୀନହାଉସ୍ ଗ୍ୟାସ ବୃଦ୍ଧି ଭଳି ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି । ଏଭଳି ସମସ୍ତ ସମସ୍ୟାର ମୁକାବିଲା କରିବା ପାଇଁ କୃଷି ବୈଜ୍ଞାନିକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ରାସାୟନିକ ସାର ଏବଂ କୀଟନାଶକର ଅତ୍ୟଧିକ ବ୍ୟବହାର ମଧ୍ୟ ଆମ କୃଷି କ୍ଷେତ୍ର ପାଇଁ ଏକ ନୂତନ ଆହ୍ୱାନ ଭାବେ ଉଭା ହୋଇଛି । ମାଟି, ପାଣି ଓ ପରିବେଶ ଉପରେ ଏହାର ଖରାପ ପ୍ରଭାବ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ଯୁବ ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ପାଇଁ ଉପାୟ ବାହାର କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।