ଭାଇମାନଙ୍କ ସହ ମିଶି ସ୍ୱାମୀଙ୍କୁ ଜିଅନ୍ତା ପୋଡ଼ିଦେବାକୁ ବସିଥିଲେ ପତ୍ନୀ

ୟୁପିର ଜଣେ ମହିଳା, ତାଙ୍କ ୫ ଭାଇଙ୍କ ସହିତ ମିଶି ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରି ପୋଡ଼ି ଦେବାକୁ ବସିଥିଲେ । ଭାଗ୍ୟ ଜୋର ଥିଲା ବୋଲି ପୀଡ଼ିତ ବଂଚିଗଲେ । ପତି-ପତ୍ନୀ ସଂପର୍କ ପିତା ହୋଇଗଲେ, ଏମିତି ଘଟଣା ଦେଖିବାକୁ ମିଳେ ।

ୟୁପିର ବରେଲି ଅଂଚଳରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ । ଭାଇମାନଙ୍କ ସହ ମିଶି ସ୍ୱାମୀଙ୍କୁ ଲୁହାରଡ୍‌ରେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିବା ପରେ ତାଙ୍କୁ ନେଇ ଜଙ୍ଗଲରେ ଫିଙ୍ଗି ଆସିଥିଲେ । ଜଙ୍ଗଲ ଭିତରକୁ କୌଣସି ଉଦ୍ଦେଶ୍ୟରେ ଯାଇଥିବା ଜଣେ ବ୍ୟକ୍ତିଙ୍କ ନଜର ପୀଡ଼ିତଙ୍କ ଉପରେ ପଡ଼ିଲା ।

ପୀଡ଼ିତଙ୍କ ପାଟିରୁ କ୍ଷୀଣ ସ୍ୱର ବାହାରୁଥିଲା । ପୀଡ଼ିତ ବଂଚିଛି ଜାଣିଲା ପରେ ସଂପୃକ୍ତ ଲୋକଟି ଅନ୍ୟମାନଙ୍କୁ ଡାକ ପକାଇଲା । ସମସ୍ତେ ମିଶି ପୀଡ଼ିତଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ । ପତ୍ନୀଙ୍କ ହାତରେ ମାଡ଼ ଖାଇ ଲହୁଲୁହାଣ ହୋଇଥିବା ବ୍ୟକ୍ତିଜଣକ ନବୋଦୟ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ବ୍ୟକ୍ତିଗତ ସହାୟକ ରାଜୀବ ।

ପୁଲିସ ରାଜୀବଙ୍କ ପତ୍ନୀ ସାଧନା ଓ ତାଙ୍କର ୫ ଭାଇ ଭଗବାନ, ପ୍ରେମରାଜ, ହରିଶ ଓ ଲକ୍ଷ୍ମଣଙ୍କୁ ଗିରଫ କରିଛି । ଜୁଲାଇ ୨୧ ତାରିଖ ଦିନ ରାତିରେ ୧୧ ଜଣ ଆକ୍ରମଣକାରୀ ରାଜୀବଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲେ । ରାଜୀବଙ୍କର ଦୁଇଟି ଯାକ ଗୋଡ଼ ଭାଙ୍ଗିଗଲା ।

ଗୋଟିଏ ହାତ ଭାଙ୍ଗିଗଲା । ଆକ୍ରମଣକାରୀ ମାନେ ରାଜୀବଙ୍କୁ ଗୋଟିଏ ଗାଡ଼ିରେ ପକାଇ ସିବିଗଞ୍ଜ ଅଂଚଳରେ ଘନଜଙ୍ଗଲ ଭିତରକୁ ନେଇ ଯାଇଥିଲେ । ସେମାନେ ସେଠାରେ ରାଜୀବଙ୍କୁ ଜିଅନ୍ତା ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ ଜଙ୍ଗଲ ଭିତରକୁ ଯାଇଥିବା ଲୋକଟିର ପାଟି ଶୁଣି ପଳାୟନ କରିଥିଲେ ।