ସଂପାଦକୀୟ: ଆମ କାଠଗଡ଼ାରେ ଲିଭ୍‌-ଇନ୍‌-ରିଲେସନ୍ ସିପ୍

ପାଶ୍ଚାତ୍ୟ ସଂସ୍କୃତିର ପୁରୁଷ-ମହିଳା ଯୁବକ-ଯୁବତୀଙ୍କ ଅବାଧ ମିଳାମିଶା ଓ ଏକାଠି ରହିବାର ପରମ୍ପରାକୁ ଭାରତର ଆଇନ ବ୍ୟବସ୍ଥା ଭିତରେ ସାମିଲ କରାଯିବା ପରଠାରୁ ଭାରତୀୟ ସାମାଜିକ ବ୍ୟବସ୍ଥାର ଅବକ୍ଷୟ ହେବାକୁ ଲାଗିଛି ।

ଯୋଉ ମହାନ୍ ଉଦ୍ଦେଶ୍ୟ ରଖି ଭାରତର ସୁପ୍ରିମକୋର୍ଟ ଲିଭ୍‌-ଇନ୍‌-ରିଲେସନ୍ ସିପ୍ ବ୍ୟବସ୍ଥାକୁ ଭାରତୀୟ ସାମାଜିକ ବ୍ୟବସ୍ଥାରେ ସାମିଲ କରାଯିବା ଦରକାର ବୋଲି ନିଷ୍ପତି ନେଇଥିଲେ । ତାହା କ୍ରମେ ରସାତଳଗାମୀ ହୋଇଛି ।

ଲିଭ୍‌-ଇନ୍‌-ରିଲେସନ୍ ସିପ୍ ପରମ୍ପରାକୁ ଭାରତର ସୁପ୍ରିମକୋର୍ଟ ଆଇନଗତ ସ୍ୱୀକୃତି ମିଳିଯିବା ପରେ ରକ୍ଷଣଶୀଳ ସମାଜ ମୁହଁଟା ସବୁଦିନ ପାଇଁ ବନ୍ଦ ହୋଇଗଲା ।

‘ଅମୁକ ବାବୁଙ୍କ ପୁଅ ଅମୁକ ବାବୁଙ୍କ ଝିଅକୁ ବିବାହ ନକରି ସହରରେ ଗୋଟିଏ ରୁମ୍‌ରେ ରହୁଛନ୍ତି । ଛି ଛି କି ଲାଜର କଥା କହିଲେ ? ଅବିବାହିତ ପୁଅଝିଅ ଏକାଠି ରହୁଛନ୍ତି, ନିଆଁ ପାଖରେ ଘିଅ ରହୁଛି, କିଛି ଏପଟ ସେପଟ ହୋଇଗଲେ, ଯଦି ଝିଅଟା ଗର୍ଭବତୀ ହୋଇଯାଏ, ଏ ସମାଜ ତାକୁ ସହଜରେ ଗ୍ରହଣ କରିବଟି ? ବିଚରା ଝିଅଟି କାହାକୁ ମୁହଁ ଦେଖାଇ ପାରିବନି ।’ ଏମିତି କଥା କହିବାର ଦୁଃସାହସ କରୁଥିବା ପାଟି ବନ୍ଦ ହୋଇଗଲା ।

ଆଧୁନିକ ଭାରତର ସଭ୍ୟ ମଣିଷ ଏତେ ଆଗକୁ ଯାଇପାରିନି ଯେତିକି ବାହାନା କରୁଛି । ପୁଅର ମା’ ଦମ୍ଭର ସହିତ କହି ପାରୁଛନ୍ତି, ମୋ ପୁଅ ପିତଳ ହାଣ୍ଡି, ଧୋଇଦେଲେ ଚକ୍‌ଚକ୍ କରିବ । ସେହି ମା’ ତାଙ୍କ ଝିଅକୁ ଅନ୍ୟ ଜଣେ ଯୁବକ ସହିତ ଲିଭ୍‌-ଇନ୍‌-ରିଲେସନ୍ ସିପ୍‌ରେ ରହିବାକୁ ଅନୁମତି ଦେଇପାରିବେ କି ?

ବାସ୍ ଏଇଠି ମାଡ଼ ଖାଇଗଲା ଆଧୁନିକ ଭାରତର ବାଟହୁଡ଼ା ସଂପର୍କ ଲିଭ୍‌-ଇନ୍‌-ରିଲେସନ୍ ସିପ୍ । ଆଧୁନିକ ଭାରତର ସାମାଜିକ ମୂଳାଧାର ଏବେ ମଧ୍ୟ ରକ୍ଷଣଶୀଳ ଚିନ୍ତାଧାରାକୁ ସଂପୂର୍ଣ୍ଣ ରୂପେ ଭୁଲିପାରିନି । ସେଇଥିପାଇଁ ତ ଜଣେ ମା’ ତା’ ପୁଅକୁ ପିତଳ ହାଣ୍ଡି ସହିତ ତୁଳନା କରି ପୁଅର ଦୋଷକୁ ଘୋଡ଼ାଇ ଦେଉଛନ୍ତି । କିନ୍ତୁ ଝିଅକୁ ମାଟି ହାଣ୍ଡି ସହିତ ତୁଳନା କରି ଝିଅର ଦୋଷକୁ ଘୋଡ଼ାଇ ପାରୁନାହାନ୍ତି ।

ଏବେ ଆପଣମାନେ ଚିନ୍ତା କରନ୍ତୁ, ଭାରତୀୟ ସାମାଜିକ ବ୍ୟବସ୍ଥାରେ ସଂପୂର୍ଣ୍ଣ ରୂପେ ମିଳାଇ ଯିବା ପାଇଁ ଲିଭ୍‌-ଇନ୍‌-ରିଲେସନ୍ ସିପ୍ ପରମ୍ପରାକୁ ଆଉ କେତେ ବର୍ଷ ଲାଗିବ ?