Nuapada Pain: ଭୋଟ ବିକଳିଆ ନେତାଙ୍କୁ ଦିଶୁନି ନୂଆପଡ଼ା ଲୁହ
Nuapada Pain: ଭୋଟ ବିକଳିଆ ନେତାଙ୍କୁ ଦିଶୁନି ନୂଆପଡ଼ା ଲୁହ
ମୁଁ ନୂଆପଡ଼ା କହୁଛି । ଜିଲ୍ଲା ପରିଚୟ ପାଇବା ପରଠାରୁ ମୋ ପ୍ରତି ଅବିଚାର କରାଯାଉଛି । ମୋର ବହୁବିଧ ଅସୁବିଧାକୁ ଦୂର କରିବା ପାଇଁ କାହା ମନରେ ଦରଦ ନାହିଁ ।
ମୋର ସବୁଠାରୁ ବଡ଼ ସମସ୍ୟା ଅଛି ଦାଦନ । ମୁଁ ଅନୁର୍ବର ମାଟିର ଅଧିକାରିଣୀ ।
ମୋ ନିକଟରେ ଚାଷଜମି ପରିମାଣ କମ୍ ରହିଛି, ତଥାପି ସବୁ ଚାଷଜମି ନିକଟକୁ ସରକାରୀ ନାଳ ଯାଇନି । ମୋ ନିକଟରେ ପ୍ରଚୁର ପରିମାଣର ପାହାଡ଼ିଆ ଟାଙ୍ଗରା ଭୂମି ଅଛି । ସେହି ଟାଙ୍ଗରା ଭୂମି ଉପରେ ଶିଳ୍ପାଂଚଳ ପ୍ରତିଷ୍ଠା କରାଯାଇପାରିବ ।
ମୋ ପରିବାରର ସବୁ ପାଠୁଆ ଅଧାପାଠୁଆ ଯୁବକ ଯୁବତୀଙ୍କ ହାତକୁ କାମ ଯୋଗାଇ ଦେଇହେବ ।
କିନ୍ତୁ ମୋ ପ୍ରତି ରାଜ୍ୟ ସରକାରଙ୍କ କୃପାଦୃଷ୍ଟି ପଡୁନି । ମୋତେ ଉଠିଆ କରିବାକୁ ସରକାରଙ୍କ ନିକଟରେ ଦୀର୍ଘସ୍ଥାୟୀ ଯୋଜନା ନାହିଁ । ମୋ ଜଙ୍ଗଲରୁ ସଂଗ୍ରହ କରାଯାଉଥିବା ବନଜାତ ଦ୍ରବ୍ୟକୁ ବିକିବା ପାଇଁ ଭଲ ବଜାରଟିଏ ନାହିଁ ।
ମୋ ପରିବାରକୁ ସ୍ୱାସ୍ଥ୍ୟ, ଶିକ୍ଷା, ବିଶୁଦ୍ଧ ପାନୀୟ ଜଳରୁ ବଂଚିତ କରାଯାଇଛି । ମୋର ମୌଳିକ ସମସ୍ୟା ପ୍ରତି କାହାର ଦୃଷ୍ଟି ପଡୁନି । ପଛୁଆ ଜିଲ୍ଲା ପରିଚୟ ମୋତେ ବହୁତ ବାଧୁଛି ।
ମୋର ଅଧିକାଂଶ ଗରିବ ପୁଅଝିଅ ପେଟକୁ ମୁଠାଏ ଦାନା ପାଇଁ ଦାଦନକୁ ଆଦରି ନେଇଛନ୍ତି ।
ବାହାର ରାଜ୍ୟରେ ମୋ ପିଲାମାନଙ୍କୁ ଶୋଷଣ କରାଯାଉଛି । ବାହାର ରାଜ୍ୟର ଠିକାଦାରମାନେ ମୋ ପିଲାଙ୍କୁ ଦାନାକନା ଓ ପାରିଶ୍ରମିକ ଦେଉନାହାନ୍ତି ।
ମୋ ରାଜ୍ୟର ନିର୍ବାଚିତ ସରକାରଙ୍କ କାନରେ ମୋ ପିଲାଙ୍କ କାନଫଟା ଚିକ୍ରାର ଶୁଣାଯାଉନି । କୌଣସି ରାଜନୈତିକ ଦଳର ନେତାମାନେ ମୋ ପ୍ରତି କରୁଣା ଦୃଷ୍ଟି ପକାଉ ନାହାନ୍ତି ।
ଉପନିର୍ବାଚନ ମଉକା ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୋତେ ଖୁସି କରିବା ପାଇଁ ୧୪୦୦ କୋଟି ଟଙ୍କାର ଭେଟି ଘୋଷଣା କରିଛନ୍ତି । ମାତ୍ର ତାଙ୍କ ଘୋଷଣା ଯେ କେବଳ ଘୋଷଣାରେ ରହିବନି, ସେ ବିଶ୍ୱାସ ମୋ ମନରେ ନାହିଁ ।
ମୋର ପ୍ରାୟ ୭୦ ଭାଗ ପୁଅଝିଅ ଦାଦନ ଗିରି ଆଦରି ନେଇଛନ୍ତି । ମୋ ମୁଣ୍ଡରୁ ଦାଦନ କଳଙ୍କ ଲିଭାଇବା ପାଇଁ ମୋହନ ସରକାରଙ୍କ ନିକଟରେ ସେଭଳି ଯୋଜନା ନାହିଁ ।
ମୋତେ ବେକାରୀ କବଳରୁ ମୁକ୍ତ କରିବା କଷ୍ଟକର, ଏମିତି ଧାରଣା ନିର୍ବାଚିତ ସରକାରଙ୍କ ମୁଣ୍ଡରେ ଘର କରିଛି । ମୋ ପିଲାଙ୍କ ପାଇଁ ଚାକିରି ନାହିଁ । ମୋ ପାଖରେ ରହିଥିବା ଚାଷଜମି ଭିତରୁ ମାତ୍ର ୩୫ ଭାଗ ଜମିକୁ ପାଣି ମିଳୁଛି । ଜୋଙ୍କ ନଦୀ ଉପରେ ନିର୍ମାଣାଧୀନ ଜଳସେଚନ ପ୍ରକଳ୍ପ ଅଧାରେ ଲଟକିଛି ।
ମୋ ମାଟିରୁ ଉତ୍ପାଦିତ ଫସଲକୁ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାରଟିଏ ନାହିଁ । ମୋ ନିକଟରେ ଉନ୍ନତ ବଜାରଟିଏ ନାହିଁ ।
ମୋ କୋଳରେ ପ୍ରତିଷ୍ଠିତ ସରକାରୀ ଡାକ୍ତରଖାନାରେ ରୋଗୀସେବା ଅତି କଦର୍ଯ୍ୟ । ମୋ ପାଇଁ ଘୋଷିତ ଡାକ୍ତରୀ ପଦବୀ ଭିତରୁ ୩୦ ଭାଗ ଦୀର୍ଘଦିନ ଧରି ଖାଲି ରହିଛି ।
ମୋ ଲୋକଙ୍କ ପାଇଁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଏକ ସ୍ୱପ୍ନ । ମୋ ପିଲାଙ୍କ ପାଇଁ ଭଲ ବିଦ୍ୟାଳୟଟିଏ ନାହିଁ । ଆଦିବାସୀ ଓ ଅନୁସୂଚୀତ ଜାତିର ପିଲାମାନେ ଅଧା ପାଠ ପଢ଼ି ଦାଦନ ଖଟିବାକୁ ଯାଉଛନ୍ତି ।
ନିର୍ବାଚନ ସମୟରେ ମୋ ସମସ୍ୟାଗୁଡ଼ିକ ଆମ ରାଜ୍ୟର ତଥାକଥିତ ନେତାମାନଙ୍କ ଆଖିରେ ଦେଖାଯାଏ, ନିର୍ବାଚନ ପରେ ସେମାନଙ୍କ ଦର୍ଶନ ମୋ ପାଇଁ ସାତସପନ ହୋଇଯାଏ ।