Truth of Delhi Police: ସରକାରଙ୍କୁ ସୁହାଇଲା ଭଳି ସତ୍ୟପାଠ

Truth of Delhi Police: ସରକାରଙ୍କୁ ସୁହାଇଲା ଭଳି ସତ୍ୟପାଠ

ତଦନ୍ତ ପରିସରଭୁକ୍ତ ହେବ ଦିଲ୍ଲୀ ପୁଲିସର ସତ୍ୟପାଠ! ସୁପ୍ରିମକୋର୍ଟଙ୍କ ଗଠିତ କମିଟି ଦିଲ୍ଲୀ ପୁଲିସ ପକ୍ଷରୁ ଦାଖଲ ସତ୍ୟପାଠକୁ ଯାଂଚ କରିବା ଦରକାର ।

୨୦୨୦ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ ଉମର ଖାଲିଦ, ଶରଜିଲ ଇମାମ, ମୀରାନ ହାଇଦର, ଗୁଲଫିସା ଫାତିମାଙ୍କ ସମେତ କିଛି ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବିରୋଧ କରି ଦିଲ୍ଲୀ ପୁଲିସ ସୁପ୍ରିମକୋର୍ଟଙ୍କ କଟାକ୍ଷର ପାତ୍ର ହୋଇଥିଲା ।

ଦିଲ୍ଲୀ ପୁଲିସ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଅଭିଯୁକ୍ତମାନେ ଭାରତକୁ ବିଶ୍ୱ ଦରବାରରେ ବଦନାମ କରିବା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଥିବା କଥା ଉଲ୍ଲେଖ କରିଛି । ଶାସନର ପଟ୍ଟ ପରିବର୍ତ୍ତନ ପାଇଁ ବିରାଟ ଷଡ଼ଯନ୍ତ୍ର ଚାଲିଥିଲା ବୋଲି ସତ୍ୟପାଠରେ ଜଣାଯାଇଛି ।

ଦିଲ୍ଲୀ ପୁଲିସର ସତ୍ୟପାଠରେ ସତ୍ୟତା ପରଖିବା ଏବେ ସୁପ୍ରିମକୋର୍ଟଙ୍କ ପ୍ରତି ଏକ ଚାଲେଞ୍ଜ । ପୁଲିସ ଅଧିକାରୀଙ୍କ ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ସାଧାରଣ ଜନତାଙ୍କୁ ମାଲୁମ ।

ପୁଲିସର ତଦନ୍ତ ପ୍ରକ୍ରିୟାରେ ସାମିଲ ସାକ୍ଷୀମାନଙ୍କ ବୟାନକୁ ବ୍ରହ୍ମବାଣୀ ରୂପେ ଧରି ନିଆଯାଇଛି । ପୁଲିସ ନିକଟରେ ମହଜୁଦ ଦଙ୍ଗା ସଂପର୍କୀତ ଦସ୍ତାବିଜଗୁଡ଼ିକ କ୍ଷମତାସୀନ ଦଳର ଗଡ୍ ଫାଦରଙ୍କ ଅନୁଗତଙ୍କ ଦ୍ୱାରା ରୋପଣ କରାଯାଇ ନଥିବ କାହିଁକି?

କ୍ଷମତାସୀନ ମେଂଟକୁ ସୁହାଇବା ଭଳି ଦସ୍ତାବିଜ ତିଆରି କରାଯାଇନି ତ? ଏଭଳି କିଛି ସନେ୍ଦହ ସାଧାରଣ ଜନତାଙ୍କ ମୁଣ୍ଡକୁ ଜୁଟିଛି । ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ସାଂପ୍ରଦାୟିକ ଦଙ୍ଗାର ସୂତ୍ରପାତ କରିବା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଦିଲ୍ଲୀ ପୁଲିସ ଦୃଢ଼ତାର ସହିତ ସୁପ୍ରିମକୋର୍ଟଙ୍କୁ ଜଣାଇଛି ।

ଦିଲ୍ଲୀ ପୁଲିସ ସୂଚନା ମୁତାବକ ୨୦୨୦ ଦିଲ୍ଲୀ ଦଙ୍ଗାରେ ପ୍ରାୟ ୫୩ ଜଣ ପ୍ରାଣ ହରାଇଥିଲେ ଓ ବହୁ ସରକାରୀ ସଂପତ୍ତି ନଷ୍ଟ ହୋଇଥିଲା ।