ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପାଇଁ ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନା କରିଛନ୍ତି ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଦିବାସୀ, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗର ଶିକ୍ଷା, ଜୀବିକା ଓ ସାମାଜିକ ଉନ୍ନତିକୁ ଲକ୍ଷ୍ୟରେ ରଖି ବଜେଟ୍ ପ୍ରସ୍ତୁତ ହୋଇଥିବା ମତ ପ୍ରକାଶ କରିଛନ୍ତି।
ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଏହି ବର୍ଷ ବିଭାଗ ପାଇଁ ସର୍ବମୋଟ ୬୬୪୯ କୋଟି ୩୩ ଲକ୍ଷ ୧୨ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥିରେ ୫୪୦୦ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ଓ ୧୨୪୯ କୋଟିରୁ ଅଧିକ ପ୍ରଶାସନିକ ବ୍ୟୟ ଅନ୍ତର୍ଭୁକ୍ତ ରହିଛି। ଗତ ବର୍ଷର ବଜେଟ ତୁଳନାରେ ଏହା ପ୍ରାୟ ୩ ପ୍ରତିଶତ ବୃଦ୍ଧି ପାଇଛି। ବଜେଟର କାର୍ଯ୍ୟକ୍ରମ ବ୍ୟୟ ମଧ୍ୟରୁ ୩୬୧୦ କୋଟି ଟଙ୍କା ରାଜ୍ୟସ୍ତରୀୟ ଯୋଜନା, ୧୯୦ କୋଟି ଟଙ୍କା କେନ୍ଦ୍ରସ୍ତରୀୟ ଯୋଜନା ଓ ୧୬୦୦ କୋଟି ଟଙ୍କା କେନ୍ଦ୍ର ପ୍ରବର୍ତିତ ଯୋଜନା ପାଇଁ ବରାଦ କରାଯାଇଛି। ଏହି ଯୋଜନାଗୁଡ଼ିକ ମୁଖ୍ୟତଃ ଶିକ୍ଷା, ଆଦିବାସୀ ଓ ଅନୁସୂଚିତ ଜାତିଙ୍କ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆବର୍ଗର ସାମାଜିକ ଓ ଆର୍ଥିକ ଉନ୍ନତିକୁ ଲକ୍ଷ୍ୟ କରି ପ୍ରସ୍ତୁତ କରାଯାଇଛି।
ଶିକ୍ଷା କ୍ଷେତ୍ରରେ ସରକାର ଛାତ୍ରଛାତ୍ରୀଙ୍କୁ ବିଶେଷ ଗୁରୁତ୍ୱ ଦେଇଛନ୍ତି। ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତି ପ୍ରଦାନ ପାଇଁ ୨୦୯୪ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଓ କେନ୍ଦ୍ରୀୟ ଛାତ୍ରବୃତି ଯୋଜନା ମାଧ୍ୟମରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗର ଛାତ୍ରଛାତ୍ରୀମାନେ ଏହାର ଲାଭ ପାଇବେ। ଏହା ସହିତ ପ୍ରାକ୍-ମାଟ୍ରିକ୍ ଛାତ୍ରବୃତିର ରାଶି ବୃଦ୍ଧି କରାଯାଇ ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ସହାୟତା ଯୋଗାଯାଉଛି।
ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ବର୍ତମାନ ୧୭୬୫ଟି ବିଦ୍ୟାଳୟ କାର୍ଯ୍ୟ କରୁଛି, ଯାହାମଧ୍ୟରୁ ୧୬୧୫ଟି ଆବାସିକ ଓ ୧୫୦ଟି ଅଣଆବାସିକ ବିଦ୍ୟାଳୟ ଅଟେ। ଏହି ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୪ ଲକ୍ଷ ୩୮ ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହାସହିତ ରାଜ୍ୟରେ ମୋଟ ୫୯୬୭ଟି ଛାତ୍ରାବାସ ଚାଲୁଅଛି ଯେଉଁଠାରେ ପ୍ରାୟ ୫ ଲକ୍ଷ ୫୨ ହଜାର ଛାତ୍ରଛାତ୍ରୀ ରହି ପଢ଼ୁଛନ୍ତି।
ଛାତ୍ରଛାତ୍ରୀଙ୍କ ଖାଦ୍ୟ, ପାଠ୍ୟ ଉପକରଣ ଓ ଅନ୍ୟାନ୍ୟ ସୁବିଧା ପାଇଁ ବଜେଟରେ ଅତିରିକ୍ତ ଅର୍ଥ ବରାଦ କରାଯାଇଛି। ଡ୍ରପ୍ ଆଉଟ୍ ହାର କମେଇବା ପାଇଁ ସରକାର ‘ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ରେ ନବମ ଶ୍ରେଣୀ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ଏହି ଯୋଜନା ପାଇଁ ବଜେଟରେ ୧୫୪ କୋଟି ଟଙ୍କା ବରାଦ କରାଯାଇଛି।
ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ‘ଅନ୍ୱେଷା ଯୋଜନା’ ଅଧୀନରେ ୧୭ଟି ଜିଲ୍ଲାର ୧୬୩ଟି ବେସରକାରୀ ବିଦ୍ୟାଳୟରେ ପ୍ରାୟ ୨୦,୪୭୩ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହି ଯୋଜନା ପାଇଁ ୧୫୮ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି। ଏହାସହିତ ‘ଆକାଂକ୍ଷା ଯୋଜନା’ ଅଧୀନରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ଆବାସିକ ସୁବିଧା ଦିଆଯାଉଛି।
ଆଦିବାସୀ ଅଂଚଳର ସମଗ୍ର ଉନ୍ନତି ପାଇଁ ‘ଧରତି ଆବା ଜନଜାତି ଗ୍ରାମ ଉନ୍ନତି ଅଭିଯାନ’ ମାଧ୍ୟମରେ ରାଜ୍ୟର ୨୭ଟି ଜିଲ୍ଲାର ୨୩୪ଟି ବ୍ଲକ ଓ ୭୬୬୭ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ମାଧ୍ୟମରେ ୧୦ ଲକ୍ଷରୁ ଅଧିକ ଜନଜାତି ପରିବାର ଉପକୃତ ହେବେ। ଏହି ଯୋଜନା ପାଇଁ ୩୨୫ କୋଟିରୁ ଅଧିକ ଟଙ୍କା ବରାଦ କରାଯାଇଛି। ସେହିପରି ‘ପିଏମ୍ ଜନମନ’ କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବିକାରେ ସୁଧାର ଆଣିବାକୁ ଲକ୍ଷ୍ୟ ରହିଛି।
ରାଜ୍ୟର ୧୪ଟି ଜିଲ୍ଲାର ୧୭୫୧ଟି ଗ୍ରାମରେ ଏହା କାର୍ଯ୍ୟକାରୀ ହେଉଛି। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ମାଧ୍ୟମରେ ଆଦିବାସୀ ପରିବାରମାନଙ୍କୁ କୃଷି, ପ୍ରାଣୀସମ୍ପଦ, ମାଛଚାଷ ଓ ଲଘୁ ଉଦ୍ୟୋଗ ମାଧ୍ୟମରେ ଜୀବିକା ବିକାଶ ପାଇଁ ସହାୟତା ଦିଆଯାଉଛି। ସାମାଜିକ ନ୍ୟାୟକୁ ସୁଦୃଢ଼ କରିବା ପାଇଁ ଅନୁସୂଚିତ ଜାତି ସହ ବିବାହକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ସରକାର ପ୍ରତି ଦମ୍ପତିକୁ ୨ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।
ଏଥିପାଇଁ ‘ସୁମଙ୍ଗଳ’ ନାମକ ଅନଲାଇନ ପୋର୍ଟାଲ ଆରମ୍ଭ କରାଯାଇଛି। ଶିକ୍ଷାର ଗୁଣାତ୍ମକ ଉନ୍ନତି, ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସୁବିଧା ଓ ଆଦିବାସୀ ଅଂଚଳର ସମଗ୍ର ବିକାଶକୁ ଲକ୍ଷ୍ୟ କରି ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ରାଜ୍ୟର ଆଦିବାସୀ ଓ ପଛୁଆ ବର୍ଗଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣ ହେବା ସହିତ ସମାବେଶୀ ଉନ୍ନତିର ଲକ୍ଷ୍ୟ ସାଧନରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।