ବିନା ପରମିଟ୍‌, ଇନସୁରାନ୍ସରେ ଚାଲିଛି ଟ୍ରାକ୍ଟର

ଗୋଟିଏ ରେଜିଷ୍ଟ୍ରେସନ୍‌ ନମ୍ବରରେ ବ୍ୟବହାର କରୁଛନ୍ତି ଏକାଧିକ ଗାଡ଼ି

ପରିବହନ ବିଭାଗ ପକ୍ଷରୁ ଗୁଡ଼ିଏ ନିୟମ ରହିଥିଲେ ସୁଦ୍ଧା …

ଧର୍ମଶାଳା: ପରିବହନ ବିଭାଗ ପକ୍ଷରୁ ଗୁଡ଼ିଏ ନିୟମ ରହିଥିଲେ ସୁଦ୍ଧା ତାହା ଟ୍ରାକ୍ଟରଗୁଡ଼ିକ ପାଇଁ ସଠିକ୍‌ ପାଳନ କରାଯାଉନି। ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି। ଟ୍ରାକ୍ଟରଗୁଡ଼ିକ ବିନା ଫିଟନେସ୍‌, ଇନ୍‌ସ୍ୟୁରାନସ୍‌ ଓ ପରମିଟ୍‌ରେ ରାସ୍ତାରେ ଚାଲୁଛି। ସରକାରୀ ନିୟମକୁ ଉଲଘଂନ କରି ଚଳାଇ ଆସୁଛନ୍ତି ଶହଶହ ଟ୍ରାକ୍ଟର। କେବଳ ଏତିକି ନୁହେଁ ବରଂ ଛୋଟ ଛୋଟ ପିଲା ଯାହାଙ୍କ ବୟସ ୧୮ବର୍ଷରୁ କମ୍‌; ସେମାନେ ମାଲବାହୀ ଟ୍ରାକ୍ଟର ଧରି ଦ୍ରୁତଗତିରେ ଚଳାଉଛନ୍ତି, ପ୍ରଶାସନ ସେସବୁକୁ ଦେଖି ନଦେଖିଲା ଭଳି ଚୁପ ରହୁଛି।

କେବେ କେମିତି ପ୍ରଶାସନ ଦୃଷ୍ଟିରେ ଆସି ଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ ବଦଳରେ ଲାଂଚ କାରବାରରେ ଛଡ଼ା ଯାଉଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଟ୍ରାକ୍ଟର ମାଲିକ କମ୍‌ ଦରମାରେ ବିନା ତାଲିମପ୍ରାପ୍ତ ଚାଳକଙ୍କ ହାତରେ ଗାଡ଼ି ଧରାଇ ପଥଚାରୀ ଓ ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଖଣି ଖାଦାନ ଓ ବାଲି ପାଇଁ ସବୁ ସମୟରେ ମାଲ ପରିବହନ ଗାଡ଼ିଗୁଡ଼ିକ ଉପରେ ବିଶେଷ ଭାବେ ନିର୍ଭର କରିବାକୁ ପଡ଼ିଥାଏ। କିନ୍ତୁ ଛୋଟଛୋଟ ପିଲାଙ୍କ ହାତରେ ଗାଡ଼ି ଏକ ବଡ ଚିନ୍ତାର ବିଷୟ ପାଲଟିଛି।

ଅନ୍ୟପକ୍ଷରେ ଟ୍ରାକ୍ଟର ଗାଡ଼ି ଚଳାଉଥିବା ଚାଳକଙ୍କ ପାଖେ ଲାଇସେନ୍ସ ନ ଥିବା ଏବଂ ମଦ୍ୟପାନ କରି ଚଲାଉଥିବା ସତ୍ୱେ ପ୍ରଶାସନର କୌଣସି ନିଘା ନ ଥିବା ଦେଖିବାକୁ ମିଳୁଛି। ସ୍କୁଲ, କଲେଜ, ଟ୍ୟୁସନ ପାଇଁ ଛୋଟ ବଡ଼ ପିଲାମାନେ ମଧ୍ୟ ଯାଇଥାନ୍ତି। ମାତ୍ର ମନମୁଖୀ ଭାବେ କିଛି ଟ୍ରାକ୍ଟର ଯାତାୟାତ କରୁଥିବାରୁ ସମସ୍ତଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଆଲୋଚନା ହେଉଛି।

କିଛି ଟ୍ରାକ୍ଟର ମାଲିକ ଚତୁରତାର ସହିତ ଗୋଟିଏ ରେଜିଷ୍ଟ୍ରେସନ୍‌ ନମ୍ବରରେ ଏକାଧିକ ଟ୍ରାକ୍ଟର ଚଳାଉଛନ୍ତି। ଏକାଧିକ ଗାଡ଼ିର ଟ୍ୟାକ୍ସ, ଫିଟନେସ୍‌ ଓ ଇନ୍‌ସ୍ୟୁରାନ୍ସ କରାଯାଉନି। ଏଭଳି ଅବ୍ୟବସ୍ଥା ସଂପର୍କରେ ପରିବହନ ମନ୍ତ୍ରୀ ଦୃଷ୍ଟି ଦେବା ସହ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।