ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ସୂଚନା ଅଧିକାର ଆଇନ-୨୦୦୫ ସମ୍ବନ୍ଧୀୟ ଏକ ଚାରି ଦିବସୀୟ ଦକ୍ଷତା ବିକାଶ ତାଲିମ୍ ତଥା କର୍ମଶାଳା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ସୂଚନା ଆୟୁକ୍ତ ଶ୍ରୀ ଦିଲ୍ଲୀପ୍ କୁମାର ବିଷୋୟୀ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ନୋଡାଲ୍ ପିଆଇଓ (ଚଓଙ), ପ୍ରଥମ ଅପିଲ୍ କର୍ତୃପକ୍ଷ (ଲସକ୍ସଗ୍ଦଗ୍ଧ ବକ୍ଟ୍ରକ୍ଟ୍ରରକ୍ଷକ୍ଷବଗ୍ଧର ବଙ୍କଗ୍ଧଷକ୍ଟକ୍ସସଗ୍ଧଚ୍ଚ) ଓ ଅଧିକାରୀମାନଙ୍କୁ ସୂଚନା ଅଧିକାର ଆଇନ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ କର୍ମଶାଳାର ଉଦଘାଟନରେ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ ଓ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଉଷାରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀ ବିଶୋୟୀ ସୂଚନା ଅଧିକାର ଆଇନ-୨୦୦୫ର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଆଇନ ନାଗରିକମାନଙ୍କୁ ସରକାରୀ କର୍ତୃପକ୍ଷଙ୍କଠାରୁ ସୂଚନା ପାଇବାକୁ କ୍ଷମତା ଦିଏ ଏବଂ ଦାୟିତ୍ୱପୂର୍ଣ୍ଣ ପ୍ରଶାସନକୁ ପ୍ରୋତ୍ସାହିତ କରେ । ସରକାରୀ କର୍ତୃପକ୍ଷଙ୍କୁ ଦକ୍ଷ କରିବା ପାଇଁ ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି । ସେହିପରି ସୂଚନା ଅଧିକାର ଆଇନର ବିଭିନ୍ନ ଧାରା, ଏହାର କାର୍ଯ୍ୟପ୍ରଣାଳୀ ଓ ନିଜ ଅନୁଭବ ଆଧାରିତ ଅନେକ ଉଦାହରଣ ମାଧ୍ୟମରେ ସେ ଅଂଶଗ୍ରହଣକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।
ସେହିପରି ନିର୍ଦ୍ଦେଶକ ଶ୍ରୀ ଦାସ ପଟ୍ଟନାୟକ ସୂଚନା ଅଧିକାର ଆଇନର ଗୁରୁତ୍ୱ ଉପରେ ଆଲୋକପାତ କରି ସରକାରୀ ପ୍ରଶାସନର ସ୍ୱଚ୍ଛତା ଓ ଉତରଦାୟିତ୍ୱ ବୃଦ୍ଧିରେ ଏହି ଆଇନର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ। ସେହିପରି ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ ଆରଟିଆଇ ଆବେଦନ ଗ୍ରହଣ କରିବା ଏବଂ ଉଚିତ୍ ସମୟରେ ଉତର ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଏହି ଚାରି ଦିବସୀୟ କର୍ମଶାଳାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା, ସମବାୟ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ଅର୍ଥ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସଂସଦୀୟ ବ୍ୟାପାର, ପଂଚାୟତିରାଜ ଓ ପାନୀୟ ଜଳ, ଉଚ୍ଚଶିକ୍ଷା, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡ଼ା ଓ ଯୁବସେବା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଜଳସମ୍ପଦ, ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ, ଗୃହ ଓ ନଗର ଉନ୍ନୟନ, ଶ୍ରମ ଓ ରାଜ୍ୟବୀମା କର୍ମଚାରୀ, ଆଇନ, ଏମଏସଏମଇ ସହିତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିବେ। ୪ ଟି ପର୍ଯ୍ୟାୟରେ ସମସ୍ତ ବିଭାଗର କର୍ତୃପକ୍ଷଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ।