ଶକ୍ତି ସମ୍ମିଳନୀରେ ମହିଳା ସୁରକ୍ଷା ଓ ସଶକ୍ତୀକରଣ ପାଇଁ ଏକାଠି ୨୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ସୁରକ୍ଷା ଓ ସଶକ୍ତୀକରଣକୁ ଏକାସାଙ୍ଗରେ ଆଗେଇ ନେବାକୁ ସମନ୍ୱିତ ଆଭିମୁଖ୍ୟ ଉପରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱ

ଭୁବନେଶ୍ୱର(ସାକ୍‌ସୀ ନ୍ୟୁଜ୍‌): ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱରଠାରେ ଆୟୋଜିତ ‘ଶକ୍ତି ସମ୍ମିଳନୀ’ର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ମହିଳାଙ୍କ ସୁରକ୍ଷା, ସଂରକ୍ଷଣ ଓ ସଶକ୍ତୀକରଣ ପାଇଁ ସାମୂହିକ ଉଦ୍ୟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଏହି ସମ୍ମିଳନୀରେ ଏକତ୍ରିତ ହୋଇଛନ୍ତି ।

ସମାବେଶକୁ ସମ୍ବୋଧିତ କରି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ମହିଳା ସୁରକ୍ଷା ଓ ମହିଳା ସଶକ୍ତୀକରଣକୁ ଭିନ୍ନ ଭିନ୍ନ ଭାବେ ଦେଖାଯାଇପାରିବ ନାହିଁ। ମଜବୁତ ଅନୁଷ୍ଠାନ, ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ସାମୂହିକ ଉତ୍ତରଦାୟିତ୍ୱ ମାଧ୍ୟମରେ ଏଗୁଡ଼ିକ ସହ-ସମ୍ବନ୍ଧିତ ହୋଇ ଆଗେଇବା ଆବଶ୍ୟକ। କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପରସ୍ପରଠାରୁ ଶିଖିବା, ସମନ୍ୱୟ ବୃଦ୍ଧି କରିବା ଏବଂ ପ୍ରତ୍ୟେକ ମହିଳା ଯେପରି ସୁରକ୍ଷା, ସମ୍ମାନ ଓ ସୁଯୋଗ ସହ ଜୀବନଯାପନ କରିପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଶକ୍ତି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରୁଛି ।

ଜାତୀୟ ମହିଳା ଆୟୋଗ (NCW) ଏବଂ ଓଡ଼ିଶା ସରକାରଙ୍କ ଯୁଗ୍ମ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିଜର ସଫଳ ପଦକ୍ଷେପ ବାଣ୍ଟିବା, କାର୍ଯ୍ୟକାରିତାରେ ଥିବା ଅଭାବକୁ ଚିହ୍ନଟ କରିବା ଏବଂ ଅଧିକ ଆନୁଷ୍ଠାନିକ ସମନ୍ୱୟ ମାଧ୍ୟମରେ କାର୍ଯ୍ୟକାରୀ କୌଶଳ ବିକଶିତ କରିବା ପାଇଁ ଏକ ଜାତୀୟ ମଞ୍ଚ ଯୋଗାଇଦେଉଛି ।

ଉଦ୍‌ଘାଟନୀ ସମାରୋହରେ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହଟକର ସମ୍ମିଳନୀର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଦେଶସାରା ମହିଳାମାନଙ୍କ ସୁରକ୍ଷା ଓ ସଶକ୍ତୀକରଣକୁ ଆଗକୁ ନେବା ପାଇଁ ଅଧିକ ସୁଦୃଢ଼ ଏବଂ ନିରନ୍ତର ସାମୂହିକ ପଦକ୍ଷେପର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ଉଦ୍‌ଘାଟନୀ ସମାରୋହରେ ଜାତୀୟ ମହିଳା ଆୟୋଗର ସଦସ୍ୟ ସଚିବ ଶ୍ରୀ ସୁଦୀପ ଜୈନ, ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ. ମୃଣାଳିନୀ ଦାର୍ସୱାଲ ଏବଂ ମିଶନ ଶକ୍ତିର ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସମ୍ମିଳନୀରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, କର୍ନାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର, ଚଣ୍ଡୀଗଡ଼ ଏବଂ ତେଲେଙ୍ଗାନା ସମେତ ୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସଚିବ, କମିଶନର, ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ପଦବୀର ୨୯ ଜଣ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଛନ୍ତି ।

ଶକ୍ତି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳା ସୁରକ୍ଷା ଓ ସଶକ୍ତୀକରଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକ ଉପରେ ଆନୁଷ୍ଠାନିକ ସହଯୋଗ ଓ ଆଲୋଚନାକୁ ପ୍ରୋତ୍ସାହିତ କରିବା। ଏହାସହ ନୂତନ ଆହ୍ୱାନଗୁଡ଼ିକର ମୋକାବିଲା ପାଇଁ ସମନ୍ୱିତ ରଣନୀତି ପ୍ରସ୍ତୁତ କରିବା ।