ଭଦ୍ରକ(ସାକ୍ସୀ ନ୍ୟୁଜ୍): ବନ୍ୟାପ୍ରବଣ ଭଦ୍ରକ ଜିଲ୍ଲାରେ ସାପ କାମୁଡ଼ାଜନିତ ମୃତ୍ୟୁ ଚିନ୍ତା ବଢ଼ାଇଛି। ଗ୍ରାମାୟଳ ଠାରୁ ସହରାଞ୍ଚଳ ଯାଏ ସବୁଠି ସାପ କାମୁଡାରୋଗୀ। ଗତ ୭ ବର୍ଷରେ ଜିଲ୍ଲାର ୭ଟି ବ୍ଲକ୍ରେ ସାପ କାମୁଡ଼ାରେ ୨୮୫ ଜଣଙ୍କ ମୃତ୍ୟୁ ହୋଇଛି ମୃତକଙ୍କ ପରିବାରଙ୍କୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ମୋଟ ୧୦ କୋଟି ୬୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯାଇଛି। ସେହିପରି ଜିଲ୍ଲା ରେଡକ୍ରସ୍ ପକ୍ଷରୁ ମଧ୍ୟ ତ୍ବରିତ୍ ଆର୍ଥିକ ସହାୟତା ଯୋଗାଯାଇଛି ।
ସୂଚନା ଅନୁସାରେ, ଜିଲ୍ଲାରେ ୨୦୨୦ରେ ସାପ କାମୁଡ଼ାରେ ୩୯ ଜଣ,୨୦୨୧ରେ ୩୬ ଜଣ, ୨୦୨୨ରେ ୪୯ ଜଣ, ୨୦୨୩ରେ ୫୨ ଜଣ, ୨୦୨୪ରେ ୩୨ ଜଣ ଓ ୨୦୨୫ରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୬ ମସିହାରେ ଅକ୍ଟୋବର ୧୩ ସୁଦ୍ଧା ଆଉ ୪୧ ଜଣଙ୍କ ଜୀବନ ଯାଇଛି। ଗତ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ବନ୍ୟାଜଳ ଘରେ ପଶିବା ଯୋଗୁଁ ଏହି ତିନି ମାସରେ ୧୭ ଜଣ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ବିଶେଷ କରି ବନ୍ୟାପ୍ରବଣ ଧାମନଗର, ଭଣ୍ଡାରିପୋଖରୀ, ତିହିଡ଼ି ଓ ଚାନ୍ଦବାଲି ବ୍ଲକ୍ରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଥିବା ଜଣାପଡ଼ିଛି ।
ତେବେ ଦେଖାଯାଉଛି, ବନ୍ୟା ସମୟରେ ସାପ କାମୁଡ଼ା ମୃତ୍ୟୁ ବଢ଼ୁଛି। ତେଣୁ ଗ୍ରାମାଞ୍ଚଳରେ ସଚେତନତା ସହ ତ୍ବରିତ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଜରୁରୀ ହୋଇପଡ଼ିଛି। ସାପ କାମୁଡ଼ିଲେ ଝଡ଼ାଫୁଙ୍କା ଉପରେ ନିର୍ଭର ନକରି ରୋଗୀଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନେବା ଉଚିତ। ଯାହାଦ୍ବାରା ଅନେକ ଜୀବନ ବଞ୍ଚାଯାଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି । ଭଦ୍ରକରୁ ସ୍ମୃତିରଞ୍ଜନ ଦୋବାଇଙ୍କ ରିପୋର୍ଟ ।