ଧାମନଗର(ସାକ୍ସୀ ନ୍ୟୁଜ୍): ଦୀର୍ଘ ବର୍ଷର ବ୍ୟବଧାନ ପରେ ଧାମନଗର ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ଅଶୂଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଚମତ୍କାର ପ୍ରଦର୍ଶନ କରି ବାଜିମାତ୍ କରିଛି। ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଓ ଏବିଭିପି ମଧ୍ଯରେ ଜୋରଦାର ଲଢ଼େଇ ହୋଇଥିବାବେଳେ ଶେଷରେ ଏବିଭିପିର ପ୍ରାର୍ଥୀମାନେ ବିଜୟୀ ହୋଇ ସଂଗଠନର ଦବଦବା ପ୍ରତିପାଦିତ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଭୋଟଗ୍ରହଣ ଓ ଫଳାଫଳ ଅନୁଯାୟୀ, ଛାତ୍ର ସଂସଦର ସଭାପତି ପଦରେ ଏବିଭିପିର ଜଗନ୍ନାଥ ମାଝୀ ବିଜୟୀ ହୋଇଛନ୍ତି। ସେ ୨୯୯ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦୀ ବିସିଜେଡି ସମତ ପ୍ରାର୍ଥନୀ ସ୍ମୃତିରେଖା ବେହେରା ୧୯୭ ଖଣ୍ଡ ଭୋଟ ପାଇଛନ୍ତି। ଜଗନ୍ନାଥ ୧୦୨ ଖଣ୍ଡ ଭୋଟରେ ବିଜୟ ହାସଲ କରିଥିବାବେଳେ ୪ଟି ଭୋଟ ନାକଚ ହୋଇଥିଲା।ସେହିପରି ଉପସଭାପତି ପଦରେ ଏବିଭିପିର ବିଭୁଦତ୍ତ ସାହୁ ୩୨୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ବନ୍ଦ୍ରୀ ଜ୍ୟୋତିରଞ୍ଜନ ସାହୁଙ୍କୁ ୧୭୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଛାତ୍ର ସଂସଦର ସାଧାରଣ ସମ୍ପାଦକ ପଦରେ ଚିନ୍ମୟ ପାତ୍ର ୨୭୮ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।
ଅନ୍ୟ ପଦବୀଗୁଡ଼ିକ ମଧ୍ୟରେ ନାଟ୍ୟ ସଂସଦ ସମ୍ପାଦକ ଭାବେ ଦମୟନ୍ତୀ ବାରିକ, ସହସମ୍ପାଦକ ଭାବେ ପୁଷ୍ପାଞ୍ଜଳି ସାହୁ, କ୍ରୀଡ଼ା ସଂସଦ ସମ୍ପାଦକ ଭାବେ ପ୍ରଦୀପ କୁମାର ଶଙ୍ଖୁଆ, ସହସମ୍ପାଦକ ଭାବେ ଖଗେଶ୍ବର ବାରିକ, ଏସଏସଜି ସମ୍ପାଦକ ଭାବେ ମନୋଜ ସାହୁ ଏବଂ କମନ୍ ରୁମ୍ ସମ୍ପାଦକ ଭାବେ ଲୋପାମୁଦ୍ରା ସ୍ବାଇଁ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ଧାମନଗର ମହାବିଦ୍ୟାଳୟରେ ସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକଙ୍କ ସମେତ ମୋଟ ୨୩ଟି ପଦବୀ ପାଇଁ ନିର୍ବାଚନ ଘୋଷଣା ହୋଇଥିଲା । ଅକ୍ଟୋବର ୯ ତାରିଖରେ ନାମାଙ୍କନ ଦାଖଲ ସମୟରେ ବିସିଜେଡି ପକ୍ଷରୁ ୧୨ଟି ପଦବୀରେ କୌଣସି ପ୍ରାର୍ଥୀ ଦିଆଯାଇନଥିଲା। ଫଳରେ ସେହି ପଦବୀଗୁଡ଼ିକରେ ଏବିଭିପି ପ୍ରାର୍ଥୀମାନେ ନିନ୍ଦ୍ବରେ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ଏବିଭିପିର ଜଣେ ପ୍ରାର୍ଥୀ ଅଯୋଗ୍ୟ ଘୋଷିତ ହେବାରୁ ଗୋଟିଏ ପଦବୀ ଖାଲି ରହିଥିଲା ।
ଏହାବ୍ୟତୀତ ଶ୍ରେଣୀ ପ୍ରତିନିଧୂ ଓ ବିଭିନ୍ନ ଆସୋସିଏସନ୍ର ପଦବୀରେ ଏସଏସଜି ସହସମ୍ପାଦକ ଭାବେ ସୁଭଦ୍ରା ସାମଲ, କମନ୍ ରୁମ୍ ସହସମ୍ପାଦକ ଭାବେ ରାକେଶ ପାଢ଼ୀ ଏବଂ ଡେ ଖୋଲାର ଆସୋସିଏସନ୍ ସହସମ୍ପାଦକ ଭାବେ ତନ୍ମୟ ତରବିତ ଦାସ ନିନ୍ଦ୍ବରେ ନିର୍ବାଚିତ ହୋଇଥିଲେ।ଅକ୍ଟୋବର ୧୦ ତାରିଖରେ ବିସିଜେଡି ସମତ ଦୁଇଜଣ ପ୍ରାର୍ଥୀ ସ୍ବେଚ୍ଛାକୃତ ଭାବେ ନିଜ ନାମାଙ୍କନ ପ୍ରତ୍ୟାହାର କରିଥିଲେ । ଛାତ୍ର ସଂସଦ ସହକାରୀ ସମ୍ପାଦକ ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ଖାଜେ ଜିସାନ କାଦ୍ରି ଏବଂ ଡେ ସ୍କୋଲାର ଆସୋସିଏସନ୍ ସମ୍ପାଦକ ପଦର ପ୍ରାର୍ଥୀ ସଞ୍ଜୟ ରାଉତ ପ୍ରାପତ୍ର ପ୍ରତ୍ୟାହାର କରିବା ପରେ ନିର୍ବାଚନୀ ଲଢ଼େଇ ଅଧୂକ ରୋଚକ ହୋଇଥିଲା ।
ଅବଶିଷ୍ଟ ୯ଟି ପ୍ରମୁଖ ପଦବୀ ପାଇଁ ଗୁରୁବାର ଭୋଟଗ୍ରହଣ ହୋଇଥିଲା। ଉଭୟ ସଂଗଠନ ପକ୍ଷରୁ ୯ ଜଣ ଲେଖାଏଁ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଥିବାବେଳେ ଫଳାଫଳ ଏବିଭିପି ସପକ୍ଷରେ ଯାଇଥିଲା । ଏହି ବିଜୟକୁ ନେଇ ଏବିଭିପି ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ଆସନା ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧୂମାନଙ୍କର ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଧାମନଗର ମହାବିଦ୍ୟାଳୟର ଏହି ନିର୍ବାଚନ ଫଳାଫଳ ଛାତ୍ର ରାଜନୀତିରେ ଏବିଭିପିର ସାଂଗଠନିକ ଶକ୍ତିକୁ ପ୍ରତିଫଳିତ କରିଛି ।