ବରଗଡ(ସାକ୍ସୀ ନ୍ୟୁଜ୍): ପଦ୍ମପୁରରେ ଅଭାବନୀୟ ଘଟଣା। ସ୍କୁଲରୁ ଘରକୁ ଫେରୁଥିବା ବେଳେ ମହାରାଜା ବସ୍ ଧକ୍କାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଉଛନ୍ତି ପଦ୍ମପୁରସ୍ଥିତ ଲାଲ ବହାଦୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର କମଳ ତରିଆ। ଏହି ଦୁଃଖଦ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଭଏସ୍ ଓଭର୍: ସୂଚନା ଅନୁଯାୟୀ, ଆଜି ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ପଦ୍ମପୁର ଥାନା ଛକ ନିକଟରେ ଛାତ୍ର କମଳ ତରିଆଙ୍କୁ ମହାରାଜା ବସ୍ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ଦୁର୍ଘଟଣା ପରେ ବସ୍ଟି ଘଟଣାସ୍ଥଳରୁ ଚାଲିଯାଉଥିବା ବେଳେ ପୋଲିସ ଏହାକୁ ଅଟକାଇଥିଲା। ପରେ ବସ୍ ଓ ଡ୍ରାଇଭରଙ୍କୁ ଥାନାକୁ ନେଇ ଅଟକ ରଖିଛି ପୋଲିସ। ଅନ୍ୟପକ୍ଷରେ, ମୃତ ଛାତ୍ରଙ୍କ ମୃତଦେହକୁ ପଦ୍ମପୁର ବଡ଼ ଡାକ୍ତରଖାନାରେ ରଖାଯାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପଦ୍ମପୁର ପୋଲିସ ତଦନ୍ତ ଜାରି ରଖିଛି। ଏକ ନିରୀହ ଶିଶୁର ଏପରି ଅକାଳ ମୃତ୍ୟୁକୁ ନେଇ ପରିବାର ଓ ପରିଜନଙ୍କ ମଧ୍ୟରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।