କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ଏହି ଅବସରରେ ଘଟଗାଁ ମା’ ତାରିଣୀଙ୍କ ପୀଠରେ ମଣ୍ଡପ ରୀତିନୀତି ଅନୁଯାୟୀ ପାଳିତ ହେଉଛି ମହାଷ୍ଟମୀ ପୂଜା। ଦୁର୍ଗାପୂଜା ଅବସରରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ପରେ ସୁନାବେଶରେ ସଜ୍ଜିତ ହୋଇଛନ୍ତି ମା’ ତାରିଣୀ। ମା’ଙ୍କ ଏହି ଦୁର୍ଲ୍ଲଭ ସୁନାବେଶ ଦର୍ଶନ ପାଇଁ ଘଟଗାଁ ପୀଠରେ ଜମିଛି ହଜାର ହଜାର ଭକ୍ତଙ୍କ ଭିଡ଼। ଭୋର୍ ପ୍ରାୟ ୪ଟାରୁ ମନ୍ଦିରରେ ପହଞ୍ଚିଥିଲେ ମା’ଙ୍କ ସେବାୟତ। ଆରମ୍ଭ ହୋଇଥିଲା ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଜଣା, ମହାସ୍ନାନ, ବଡ଼ ସିଂହାର ବେଶ ଓ ଷୋଡ଼ଶ ଉପଚାର ପୂଜା ସମେତ ବିଭିନ୍ନ ପାରମ୍ପରିକ ରୀତିନୀତିରେ ମା’ଙ୍କୁ ପୂଜା କରାଯାଇଥିଲା। ପରେ ମା’ଙ୍କୁ ସୁନାବେଶରେ ସୁସଜ୍ଜିତ କରାଯାଇଥିଲା। ପୂଜାର୍ଚ୍ଚନା ଶେଷ ହେବା ପରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିରର ପହଡ଼ ଖୋଲାଯାଇଛି । ମା’ଙ୍କ ଦିବ୍ୟ ସୁନାବେଶ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଘଟଗାଁ ପୀଠରେ ଲାଗିଛି ଭକ୍ତଙ୍କ ଲମ୍ବା ଧାଡ଼ି। ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରୁଛନ୍ତି ଶ୍ରଦ୍ଧାଳୁ।