୩୧ ତାରିଖ ପର୍ଯ୍ୟନ୍ତ କେନାଲ ବନ୍ଦ ନିଷ୍ପତ୍ତିକୁ ବିରୋଧ; କୃଷକ ସଂଗଠନ ପକ୍ଷରୁ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ

ବରଗଡ: ବରଗଡ଼ ଜଳ ସେଚନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଆଗାମୀ ୩୧ ତାରିଖ ପରଠୁ ଖରିଫ ଧାନ ଚାଷ ପାଇଁ କେନାଲ ପାଣି ଯୋଗାଣ ବନ୍ଦ କରିବାର ସୂଚନା ଦିଆଯାଇଛି। ଯାହାକୁ ନେଇ ଓଡ଼ିଶା ରାଜ୍ୟ କୃଷକ ସଂଗଠନ, ଅତାବିରା ବିରୋଧ କରି କେନାଲ ପାଣି ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଯୋଗାଣ କରିବାକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତାବିରା ଅତିରିକ୍ତ ତହସିଲଦାର ଦୀପକ ପତିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

ସୂଚନା ଯୋଗ୍ୟ, ଅତାବିରା ବ୍ଳକର ବିଭିନ୍ନ ସ୍ଥାନରେ କିଛି ଧାନ ଗର୍ଭଣୀ ଅବସ୍ଥାରେ ରହିଛି ଓ ଆଉ କିଛି ଧାନ ବାହାରୁଛି। କେନାଲ ପାଣି ୩୧ ତାରିଖ ବନ୍ଦ ହେଲେ ପାଖାପାଖି ୭୦ ପ୍ରତିଶତ ଧାନ ପ୍ରଭାବିତ ହେବ।

ଏଣୁ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବିନା ରୋଟେସନରେ କେନାଲ ପାଣି ଯୋଗାଣ କରିବାକୁ ଦାବି କରାଯାଇଛି। ଚାଷୀନେତା ବୀରେନ୍ଦ୍ର କରଙ୍କ ନେତୃତ୍ବରେ ଋଷବ କର୍ଣ୍ଣ, ବଳିରାଜ ଭୋଇ, ସାହେବ ପ୍ରଧାନ, ଗୁଣନିଧି ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଦଶରଥ ଭୋଇ, ସୁରେଶ କର୍ଣ୍ଣ, ବୁଦ୍ଧଦେବ ନନ୍ଦ, ଅମୂଲ୍ୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।