ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତର ମହିଷାମୁଣ୍ଡି ଗ୍ରାମରେ ମା’ ବିଶେଇପାଟ ଯୁବକ ସଂଘ ଆନୁକୂଲ୍ୟରେ ତିନିଦିନ ଧରି ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଅର୍ଜୁନ ମହାପାତ୍ର ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଅଞ୍ଚଳର ଦଳ ଅଂଶଗ୍ରହଣ କରିଥିଲେ। ତିନିଦିନ ଧରି ଖେଳ ପଡ଼ିଆରେ ଖେଳାଳି ଓ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।
ଉଦଯାପନୀ ଦିବସରେ ବାରୁଦ ଭାଇ ରାଧାପୁର ଓ ପପୁନ ଏଫ୍ସି ବୁଢ଼ାବଣ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ରୋମାଞ୍ଚକର ମୁକାବିଲାରେ ବୁଢ଼ାବଣ ଦଳ ଗୋଟିଏ ଗୋଲ୍ରେ ବିଜୟୀ ହୋଇ ଚାମ୍ପିୟନ ଟ୍ରଫି ହାସଲ କରିଥିଲା। ଚାମ୍ପିୟନ ଦଳକୁ ୩୦ ହଜାର ଟଙ୍କା ଓ ଟ୍ରଫି, ରନର୍ସଅପ୍ ରାଧାପୁର ଦଳକୁ ୨୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ତୃତୀୟ ସ୍ଥାନରେ ଥିବା ସୁନୁ ଇଲେଭେନ ଓ ଚତୁର୍ଥ ସ୍ଥାନରେ ଥିବା ବ୍ଲାକ୍ ଫାଇଟର ଦଳକୁ ୧୦ ହଜାର ଲେଖାଏଁ ଟଙ୍କା ପୁରସ୍କାର ଦିଆଯାଇଥିଲା।
ଉଦଯାପନୀ ଉତ୍ସବରେ ପାଟଣା ବିଧାୟକ “ଅଖିଳ ଚନ୍ଦ୍ର ନାଏକ “ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ବିଧାୟକ ପ୍ରତିନିଧି କମଳାକାନ୍ତ ଦାଶ, ସରପଞ୍ଚ ମିନାକ୍ଷୀ ନାଏକ, ସମାଜସେବୀ ଅଜିତ ବାରିକ, ମିତ୍ରଭାନୁ ନାଏକ, ଦିବ୍ୟଲୋଚନ ସାହୁ, ପ୍ରଧାନଶିକ୍ଷକ ସୁନୀଲ ମହାନ୍ତ, ହାଡ଼ିବନ୍ଧୁ ମହାପାତ୍ର ଓ କପିଳେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନେ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ଓ ଯୁବପିଢ଼ିଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବାରେ ଏଭଳି ଆୟୋଜନର ଗୁରୁତ୍ୱ ରହିଥିବା ମତ ପ୍ରକାଶ କରିଥିଲେ। ଭାଷ୍ୟକାର ଅରୁଣ କୁମାର ମହାନ୍ତ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ।
ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ମା’ ବିଶୋଇ ପାଟ ଯୁବକ ସଂଘ ଓ ଖେଳ କମିଟିର ସଦସ୍ୟ ମୋନଜ ନାଏକ , ଆଶିଷ କୁମାର ନାଏକ ଚନ୍ଦନଜିତ ମହାପାତ୍ର ଓ ସୁଶୀଲ ନାଏକ ଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ଗ୍ରାମାଞ୍ଚଳର ଲୁକ୍କାୟିତ କ୍ରୀଡ଼ା ପ୍ରତିଭାର ବିକାଶ ଓ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ସୃଷ୍ଟି କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।