ଏକାଧାରରେ ଜଣେ ସୁନାମଧନ୍ୟ ସାହିତ୍ୟିକ, ସମ୍ପାଦକ, ଗୀତିକାର, ଗାଳ୍ପିକ, କଵି ତଥା ଲେଖକ ଅଜୟ କେତନ ମହାନ୍ତିଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିବୃନ୍ଦଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ
ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ପତ୍ରିକା ‘ଦିଗବଳୟ’ର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ଅଜୟ କେତନ ମହାନ୍ତିଙ୍କ ବିୟୋଗରେ ଭୁବନେଶ୍ୱରଠାରେ ବିଶିଷ୍ଟ ବ୍ୟକ୍ତିବୃନ୍ଦଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ। ତାଙ୍କର ଅକାଳ ବିୟୋଗ ଓଡ଼ିଆ ସାହିତ୍ୟ, ସାମ୍ବାଦିକତା, ଗୀତିକାର ଓ ସାଂସ୍କୃତିକ ଜଗତ, ଗାଳ୍ପିକ, କଵି ତଥା ଲେଖକ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସଭାରେ ମତପ୍ରକାଶ ପାଇଥିଲା।
ସେ ବେଙ୍ଗାଲୁରୁ ସହରରେ ନିବାସ କରୁଥିଲେ। ନିଜର ଦୁଇଜଣ ସାହିତ୍ୟିକ ବନ୍ଧୁ ଗଳ୍ପିକ କାର୍ତିକ ସ୍ଵାଇଁ ଓ ସମାଲୋଚକ କ୍ଷୀରୋଦ ବେହେରାଙ୍କ ସହିତ ଦୁଇଦିନପୂର୍ବେ ଶିରିଡ଼ି ବୁଲିବା ପାଇଁ ଯାଇଥିଲେ। ସେଠାରୁ ଟ୍ରେନରେ ଫେରିବା ସମୟରେ ସକାଳ ସାତଟାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଟ୍ରେନ୍ରୁ ବେଲାରୀ ଷ୍ଟେସନ୍ରେ ବନ୍ଧୁ ମାନଙ୍କ ଦ୍ୱାରା ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ତାଙ୍କର ମରଶରୀରକୁ ବନ୍ଧୁମାନେ ସନ୍ଧ୍ୟାସୁଦ୍ଧା ବାଙ୍ଗାଲୋରରେ ପହଞ୍ଚାଇବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସ୍ୱର୍ଗତ ମହାନ୍ତି ପାଞ୍ଚବର୍ଷ ପୂର୍ବେ ପତ୍ନୀଙ୍କୁ ହରାଇବା ପରେ ବାଙ୍ଗାଲୋରରେ ପୁତ୍ରକନ୍ୟାଙ୍କ ପାଖରେ ରହୁଥିଲେ । ତା’ପୂର୍ବରୁ ୨୦୦୯ ମସିହାରୁ ଦୀର୍ଘ ୧୭ବର୍ଷ ପୂର୍ବେ ଭୁବନେଶ୍ଵରରେ ରହି ‘ଦିଗ୍ ବଳୟ’ ପତ୍ରିକା ସମ୍ପାଦନା କରୁଥିଲେ।
ସ୍ୱର୍ଗତ ମହାନ୍ତି ଦୀର୍ଘଦିନ ଧରି ଓଡ଼ିଆ ସାହିତ୍ୟର ପ୍ରଚାର, ପ୍ରସାର ଓ ସୃଜନଶୀଳ ଲେଖାଲେଖି ତଥା ଗୀତିକବି ଭାବେ ସୁପରିଚିତ ଓ ତାଙ୍କର କବିତା ପୁସ୍ତକ ‘ଭିନ୍ନ ପ୍ରେମ’ ପ୍ରକାଶ ପାଇ ପାଠକାଦୃତି ହୋଇଛି। ଇଣ୍ଡିଆନ୍ ମେଟାଲ୍ସ୍ ଏଣ୍ଡ୍ ଫେରୋ ଏଲୋୟସ୍ ଲିମିଟେଡ୍ (ଇମ୍ଫା) ଓ ପାରାଦ୍ଵୀପ ଫସ୍ଫେଟ୍ସରେ ବରିଷ୍ଟ ପ୍ରଶାସନିକ ଅଧିକାରୀ ପଦବୀରେ କାର୍ଯ୍ୟକରି ଅବସର ଗ୍ରହଣ ପରେ ଓଡ଼ିଶା ହାଇଡ୍ରୋପାୱାର ଜେନେରେସନ କର୍ପୋରେସନ୍ରେ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ କିଛି ବର୍ଷ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ।
ସ୍ୱର୍ଗତ ମହାନ୍ତି ଜଣେ ସରଳ, ମିଷ୍ଟଭାଷୀ, ସୃଜନଶୀଳ ଓ ସାହିତ୍ୟପ୍ରେମୀ ବ୍ୟକ୍ତି ଭାବେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ବିଯୋଗରେ ଇମ୍ଫା ଗ୍ରୁପର ଅବସରପ୍ରାପ୍ତ ନିର୍ଦେଶକ ଶ୍ରୀ ଚିତ୍ତରଞ୍ଜନ ରାୟ, ଏମଏମ ନୱାଜ , ତରିଯିବ ଚରଣ ହୋତା, ବରିଷ୍ଠ ପ୍ରଶାସକ ତଥା ଲେଖକ ଶ୍ରୀଯୁକ୍ତ ମନୋଜ କୁମାର ମହାପାତ୍ର ,ଶିଶିରକାନ୍ତ ପଟ୍ଟନାୟକ ଓ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତା ମାନେ ଦିବଂଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ।