ଲୁହାପଥର ବୋଝେଇ ଟ୍ରକ୍ ଧକ୍କାରେ କଲେଜ ଛାତ୍ରୀ ମୃତ, ଜଣେ ଗୁରୁତର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଲୁହାପଥର ବୋଝେଇ ଟ୍ରକ୍ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଥିସହ ଜଣେ ୯ ବର୍ଷୀୟା ନାବାଳିକା ମଧ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଦଶରଥ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକ (୨୭) ନିଜ ସମ୍ପର୍କୀୟ ଦୁଃଖବନ୍ଧୁ ଫୁଦକାର ଓ ତାଙ୍କ ୯ ବର୍ଷୀୟା ଝିଅ ଶ୍ରାବଣୀ ଫୁଦକାରଙ୍କ ସହ ଏକ ମୋଟରସାଇକେଲରେ ତେଲକୋଇ ଅଭିମୁଖେ ଯାଉଥିଲେ। ଏହି ସମୟରେ ତାଳଚେର ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍ ସେମାନଙ୍କ ମୋଟରସାଇକେଲକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଶୁଭଶ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଦୁଃଖବନ୍ଧୁ ଗୁରୁତର ଆହତ ହୋଇଥିଲେ। ଏଥିସହ ନାବାଳିକା ଶ୍ରାବଣୀ ମଧ୍ୟ ଆହତ ହୋଇଥିଲେ।

ଗୁରୁତର ଆହତ ଦୁଃଖବନ୍ଧୁଙ୍କୁ ତୁରନ୍ତ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ, ଦୁର୍ଘଟଣା ଘଟିଥିବା ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତା ଦେଇ ବେଆଇନ ଭାବେ ଲୁହାପଥର ବୋଝେଇ ଟ୍ରକ୍ ଚଳାଚଳ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।

ପୂର୍ବରୁ ତେଲକୋଇ ପ୍ରଗତିଶୀଳ ନାଗରିକ ମଞ୍ଚ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଏହି ରାସ୍ତାରେ ଲୁହାପଥର ବୋଝେଇ ଭାରୀଯାନ ଚଳାଚଳ ଉପରେ ନିଷେଧାଦେଶ ଜାରି କରିବାକୁ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଏହା ସତ୍ତ୍ୱେ ଲୁହାପଥର ବୋଝେଇ ଟ୍ରକ୍ ଚଳାଚଳ ବନ୍ଦ ହୋଇନଥିବାରୁ ଏଭଳି ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଅକାଳରେ ଜୀବନ ଯାଉଥିବା ଅଭିଯୋଗ ହୋଇଛି।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ଲୁହାପଥର ବୋଝେଇ ଟ୍ରକ୍ ଚଳାଚଳ ତୁରନ୍ତ ବନ୍ଦ କରିବା ସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତା ଅବରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି ମର୍ମନ୍ତୁଦ ଦୁର୍ଘଟଣାଟି ତେଲକୋଇ–ଭୁବନେଶ୍ୱର ରାସ୍ତାର ବାଲିଶରା ଛକ ନିକଟରେ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।