ନିମାପଡ଼ାରେ କାନାରା ବ୍ୟାଙ୍କ ପକ୍ଷରୁ ଋଣ ମେଳା, ଯୋଗଦେଲେ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ନିମାପଡ଼ା: ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ସହ ସେମାନଙ୍କ ଆର୍ଥିକ ବିକାଶ ଓ ସ୍ୱାବଲମ୍ବୀ ହେବା ଦିଗରେ କାନାରା ବ୍ୟାଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏହି ଉଦ୍ଦେଶ୍ୟରେ ଗୁରୁବାର କାନାରା ବ୍ୟାଙ୍କର ନିମାପଡ଼ା ଶାଖା ପକ୍ଷରୁ ଏକ ଘରୋଇ ସ୍ଥାନରେ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ନିମାପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରୁ ୫୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ଶତାଧିକ ମହିଳା ଯୋଗଦେଇଥିଲେ।

Canara Bank With ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା_Shaksi News
Canara Bank With ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା_Shaksi News

ଏହି ଅବସରରେ ମହିଳାମାନଙ୍କୁ ସରଳ ପ୍ରକ୍ରିୟାରେ ଓ କମ୍ ସୁଧ ହାରରେ ବ୍ୟାଙ୍କ ଋଣ ଯୋଗାଇଦେଇ ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମହିଳାମାନଙ୍କୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଭିତ୍ତିକ କାର୍ୟ୍ୟକ୍ରମରେ ସାମିଲ କରିବା ଏବଂ ରାଜ୍ୟରେ କାର୍ୟ୍ୟକାରୀ ହେଉଥିବା ‘ଲକ୍ଷପତି ଦିଦି’ ଯୋଜନା ମାଧ୍ୟମରେ ସେମାନଙ୍କ ଆୟ ବୃଦ୍ଧି କରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।

କାର୍ୟ୍ୟକ୍ରମରେ କାନାରା ବ୍ୟାଙ୍କ ଭୁବନେଶ୍ୱରର ଆଞ୍ଚଳିକ ଶାଖା ପ୍ରବନ୍ଧକ ସନ୍ତୋଷ କୁମାର ବ୍ରହ୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉପସ୍ଥିତ ମହିଳାମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ମହିଳା ସଶକ୍ତୀକରଣ ଓ ଆର୍ଥିକ ସ୍ୱାବଲମ୍ବନ ଦିଗରେ ବ୍ୟାଙ୍କ ଋଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ୟାଙ୍କ ପକ୍ଷରୁ ମିଳୁଥିବା ଆର୍ଥିକ ସହାୟତାକୁ ସଠିକ୍ ଭାବେ ବିନିଯୋଗ କରି ମହିଳାମାନେ ନିଜସ୍ୱ ଉଦ୍ୟୋଗ ପ୍ରତିଷ୍ଠା କରିବା ସହ ଆୟ ବୃଦ୍ଧି କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ସେମାନଙ୍କ ଆର୍ଥିକ ଉନ୍ନତିରେ ବ୍ୟାଙ୍କିଙ୍ଗ୍ ସେବାର ସୁଯୋଗ ସମ୍ପର୍କରେ ସଚେତନ କରାଇବା ଏହି ଋଣ ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।