ଯାହା ନଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ:ଶବକୁ ଜାବୁଡି ଧରି କାନ୍ଦୁଛି ମାଙ୍କଡ଼

(ସାକ୍‌ସୀ ନ୍ୟୁଜ୍‌): ଶବକୁ ଜାବୁଡି ଧରି କାନ୍ଦୁଛି ମାଙ୍କଡ଼। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ। ସୂଚନା ଅନୁଯାୟୀ, ସୋସୋ ଥାନା ଢେଙ୍କା ଗ୍ରାମର ଠୁଳୁକୁ ରାମ ସୋରେନ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଠୁଳୁକୁ ଙ୍କ ଶବ ନିକଟରେ ତାଙ୍କ ପରିବାର ଲୋକେ ଜଗି ରହିଥିଲେ। ଅନ୍ୟପଟେ ଘସିପୁରା ଝାଡ଼େଶ୍ୱର ମନ୍ଦିର ନିକଟରେ ହଠାତ୍ ନଜର କୁ ଆସିଥିଲା ଏହି ମାଙ୍କଡ଼। ଲାଗୁଥିଲା, ସତେ ଯେମିତି ସେ କାହାକୁ ଖୋଜୁଛି। ବାଟରେ ଯାଉଥିବା ଲୋକଙ୍କ ଗୋଡ଼ ଧରି ଅନୁନୟ କରୁଥିଲା ତାକୁ ନେଇଯିବାକୁ ।

ଏହି ସମୟରେ ଏକ ଆମ୍ବୁଲାନ୍ସ ଦେଖି ଆମ୍ବୁଲାନ୍ସ ନିକଟକୁ ଯାଇଥିଲା ଏହି ମାଙ୍କଡ଼। ଚାଳକ ବିଜୟ କୁମାର ସାହୁ ଆମ୍ବୁଲାନ୍ସ ଫାଟକ ଖୋଲି ଦେବାରୁ ଆମ୍ବୁଲାନ୍ସ ଭିତରକୁ ପଶିଆସି ଚାଳକ ଙ୍କ ନିକଟରେ ବସି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଗଲା ମାଙ୍କଡ଼। ପରେ ଆମ୍ବୁଲାନ୍ସ ରୁ ଓହ୍ଲାଇ କାହାକୁ ଖୋଜିବା ଢ଼ଙ୍ଗରେ କିଛି ଲୋକଙ୍କୁ ଅନାଉଥିଲା। ପରବର୍ତ୍ତୀ ସମୟରେ ଠୁଳୁକୁ ଙ୍କ ଶବ ନିକଟରେ ଯାଇ ପହଞ୍ଚି ଯାଇଥିଲା ଏହି ମାଙ୍କଡ଼। ତାଙ୍କ ମୃତଦେହ ଉପରେ ଘୋଡ଼ା ହୋଇଥିବା ଚାଦର ଖୋଲି ଶବକୁ ଧରି କାନ୍ଦିବାରେ ଲାଗିଲା। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ। ଏବେ Social Mediaରେ ଏହି ଭିଡିଓ ଘୁରି ବୁଲୁଛି। ଯାହାକୁ ନେଇ ଆନନ୍ଦପୁର ଅଞ୍ଚଳରେ ଏସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି। କେନ୍ଦୁଝରରୁ ଅଞ୍ଜନ ରାଣାଙ୍କ ରିପୋର୍ଟ  ।