ଧରାକୋଟ(ସାକ୍ସୀ ନ୍ୟୁଜ୍): ପୂର୍ବ ବାତ୍ୟା ଯିବାର ମାତ୍ର 20 ଦିନ ପରେ ଗଞ୍ଜାମ ବସି ପୁଣି ଏକ ବାତ୍ୟାର ସାମନା କରିବାକୁ ଯାଉଛନ୍ତି। ଜିଲ୍ଲାର ଧରାକୋଟ ବ୍ଲକର 18 ଗୋଟି ପଞ୍ଚାୟତ ରେ ଅର୍ଣବ ବାତ୍ୟା ପ୍ରଭାବରେ ହୋଇଥିବା ବନ୍ୟା ବ୍ୟାପକ କ୍ଷୟ କ୍ଷତି ଘଟାଇଥିଲା। ଲୋକମାନଙ୍କୁ କ୍ଷତି ପୂରଣ ଦିଆଯିବା ପ୍ରକ୍ରିୟା ବର୍ତ୍ତମାନ ଚାଲିଛି। ଗତ ଅର୍ଣବ ବନ୍ୟାରେ ବ୍ଲକର ଯାହାଡ଼ା, ସିଙ୍ଗିପୁର ଜଗମୋହନ, ମୁଣ୍ଡମରାଇ, ସରଧା ପୁର,ଧରାକୋଟ, ବରଡ଼ାବିଲି ପଞ୍ଚାୟତ ର ପ୍ରାୟ 50 ପରିବାର ବାସହିନ ହୋଇଥିଲେ। ବହୁ ଚାଷଜମି ବାଲିଚର ହୋଇଯାଇଛି। ଅନ୍ୟ ପକ୍ଷରେ ଧରାକୋଟ ବ୍ଲକ ପ୍ରଶାସନ ପକ୍ଷରୁ ଆକବନ ବାତ୍ୟାକୁ ଜିରୋ କାଜୁଆଲିଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବି ଡି ଓ ଲିପିନା ଦାସ, ତହସିଲଦାର ଲମ୍ବୋଦର ମାରାଣ୍ଡି, ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ, ବି ଏସ ଏସ ଓ ସଚିନ ପାତ୍ର ଙ୍କ ତତ୍ୱାବଧାନ ରେ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା, ଶୁଖିଲା ଖାଦ୍ୟ ବଣ୍ଟନ, ରନ୍ଧା ଖାଦ୍ୟ ପ୍ରସ୍ତୁତି ଓ ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି ।
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଧରାକୋଟ ବ୍ଲକରେ 105 ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ପ୍ରସ୍ତୁତ କରି ରଖାଯାଇଛି। ସମସ୍ତ କେନ୍ଦ୍ରରେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ରଖାଯାଇଥିବା ବେଳେ ବନ୍ୟା ପ୍ରବଣ 39 ଗୋଟି ଗାଁ ଚିହ୍ନଟ କରାଯାଇ ଲୋକଙ୍କୁ ଆଗୁଆ ସଚେତନ କରାଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ ଆଶ୍ରୟସ୍ଥଳୀ କୁ ଯିବାପାଇଁ ପରାମର୍ଶ ଦିଆଯାଇଛି। ଭୁଷ୍କଳନ ପ୍ରବଣ ସାବା ପଞ୍ଚାୟତ ର ତାନାର୍ଜିପଲ୍ଲୀ, ଭାଟଖାଲ, ସିଙ୍ଗାପୁର, ଧାଡ଼ିଆମ୍ବ,ଜିରୋ ନଗର, ଝିଲିମିଲି, ବାଦୁଆ, ଭଗାପଦ୍ମପୁର,ଅଶୋକ ପଲ୍ଲୀ, କୁସୁମ ବସା,ପୁଞ୍ଜିଆମ୍ୱ, ସୁବର୍ଣ୍ଣ ପୁର, ଜୟସିଂହ ଓ ସିଙ୍ଗିପୁର ପଞ୍ଚାୟତ ର ଚେମିଡି ହିଲ ଗାଁର 401 ଲୋକଙ୍କୁ ସାବା ଓ ଛଣପଟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରାଯାଇଛି ।
ଅପରାହ୍ନ ସୁଦ୍ଧା ଆବଶ୍ୟକତା ଅନୁଯାୟୀ 5100 କେ ଜି ଚୁଡ଼ା,1250 କେଜି ଗୁଡ଼ ବଣ୍ଟା ଯାଇଛି। ଗୋଛାଗୁଡା ଚର୍ଚ୍ଚ ଗୃହ, ବାହାରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେନ୍ଦୁପଲ୍ଲୀ ବିଦ୍ୟାଳୟରେ ରନ୍ଧା ଖାଦ୍ୟ ଲୋକଙ୍କୁ ଦିଆଯାଉଛି। ଗତ ବନ୍ୟାରେ ଯାହାଡ଼ା ଗାଁର ବାସହୀନ ହୋଇଥିବା 10 ପରିବାରର 25 ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ଧରାକୋଟ,ବଡଗଡ, ବାଲିଶିରା ଓ ଶେରଗଡ଼ ସ୍ଵାସ୍ଥ୍ୟକେନ୍ଦ୍ର ରେ 34 ଜଣ ଗର୍ଭବତୀ ଓ ପ୍ରସୂତୀ ଙ୍କୁ ନିରାପଦ ମତୃତ ପାଇଁ ରଖାଯାଇଛି। ବାତ୍ୟାର ମୁକାବିଲା ପାଇଁ ଓଡ଼୍ରାଫ୍ ଟିମ ଧରାକୋଟ ରେ ପହଞ୍ଚିଥିବା ବେଳେ ଦମକଳ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସମସ୍ତ ଆଶ୍ରୟସ୍ଥଳୀରେ ନୋଡାଲ ଅଫିସର ମାନେ ଖାଦ୍ୟ ସାମଗ୍ରୀ, ପାଇବା ପାଣି ସହ ପ୍ରସ୍ତୁତ ହୋଇ ରହିଥିବା ବି ଡି ଓ ଲିପିନା ଦାସ ସୂଚନା ଦେଇଛନ୍ତି ।