ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବାରିପଦା(ସାକ୍‌ସୀ ନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ତୃଣମୂଳ ସ୍ତରରେ ବାଲ୍ୟ ବିବାହ ଭଳି ସାମାଜିକ ବ୍ୟାଧିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ସଜାଗ ରହିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସଂଯୁକ୍ତା ମହାରଣା ବାଲ୍ୟବିବାହକୁ ଏକ ସାମାଜିକ ବ୍ୟାଧି ଓ କୁସଂସ୍କାର ବୋଲି ମତପ୍ରକାଶ କରି ଏଥିରୁ ନିବୃତ୍ତ କରିବା ପାଇଁ ପ୍ରଶିକ୍ଷାର୍ଥୀ ମାନଙ୍କୁ ବୁଝାଇଥିଲେ ।

ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ଏବଂ ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ ଶ୍ରୀ ଜୀବନ ବେହେରା ରିସୋର୍ସ ପର୍ସନ ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬ର ବିଭିନ୍ନ ଧାରା, ଦଣ୍ଡବିଧାନ ବ୍ୟବସ୍ଥା ଏବଂ ବାଲ୍ୟ ବିବାହ ରୋକିବାରେ ଅଧିକାରୀମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ଦେଇଥିଲେ। ଶିଶୁ ସୁରକ୍ଷା ପରାମର୍ଶଦାତା ୟୁନିସେଫ (unisef) ଓଡ଼ିଶା ଘାସିରାମ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ କିପରି ରୋକାଯାଇପାରିବ ସେ ବିଷୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ୱାର୍ଡେନ , ମେଟ୍ରନଙ୍କୁ ଅବଗତ କରାଇଥିଲେ। ହବର ଜେଣ୍ଡର ସ୍ପେଶିଆଲିଷ୍ଟ ସାମର୍ଥ୍ୟ ନରତ୍ତମ ମହାନ୍ତ ବାଲ୍ୟ ବିବାହ ମୁକ୍ତ ଭାରତ ପୋର୍ଟାଲ ସମ୍ବନ୍ଦରେ ତାଲିମ ପ୍ରଦାନ କରିଥିଲେ ।

ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ନିର୍ବାହୀ ଅଧିକାରୀ , ଆବାସିକ ବିଦ୍ୟାଳୟର ମାଟ୍ରନ୍ ଏବଂ ୱାର୍ଡେନ୍‌ମାନ,ମହିଳା ସଶକ୍ତିକରଣ କେନ୍ଦ୍ର ଜିଲ୍ଲା ସଂଯୋଜକ ସମେତ କର୍ମକର୍ତ୍ତା ଓ ଜିଲ୍ଲା ସଂଯାଜକ unisef ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ମହାନ୍ତି ପରିଚାଳନା କରିଥିବା ବେଳେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।