ରାଜ୍ୟରେ ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ 

ଭୋଟର ମତଦାନ କରି ନିଜର ନେତା ବାଛୁଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀ ପ୍ରଚାର ମଇଦାନରେ । ଜୋରସୋରରେ ଚଳାଇଛନ୍ତି ପ୍ରଚାର ପ୍ରସାର । କିଏ ହାତରେ ପତାକା ଧରି ପ୍ରଚାର କରୁଛି ତ କିଏ ବିକାଶ ମୁଦ୍ଦାକୁ ମାଧ୍ୟମ କରି ଲୋକଙ୍କ ପାଖକୁ ଯାଉଛନ୍ତି । ଆସିକା ନିର୍ବାଚନ ମଣ୍ଡଳୀରେ ତିନି ସାଂସଦ ପ୍ରାର୍ଥୀ ଏବେ ମଇଦାନରେ । ବିଜେଡିରୁ ରଞ୍ଜିତା ସାହୁ , ବିଜେପିରୁ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ, କଂଗ୍ରେସରୁ ଦେବକାନ୍ତ ଶର୍ମା ପ୍ରାର୍ଥୀ । ୧୯୯୭ ମସିହାରେ ନବୀନ ପଟ୍ଟନାୟକ ଆସିକା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେଣୁ ଏହି ସଂସଦୀୟ କ୍ଷେତ୍ରଟି ବେଶ ଗୁରୁତ୍ଵପୂର୍ଣ୍ଣ । ଆସିକା ସଂସଦୀୟ କ୍ଷେତ୍ରରେ ମୋଟ ଭୋଟର ଅଛନ୍ତି ୧୬ ଲକ୍ଷ ୨୧ ହଜାର ୪୮୩ ଜଣ । ସେଥିମଧ୍ୟରୁ ଆସିକା ନିର୍ବାଚନ ମଣ୍ଡଳୀରେ ଅଛନ୍ତି ୨ଲକ୍ଷ ୧ ହଜାର ୪୨୦ ଜଣ ଭୋଟର । ଏଠାରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେଉଛି । ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି ରଞ୍ଜିତା ସାହୁ, ବିଜେପିରୁ ଅନିତା ଶୁଭ ଦର୍ଶନୀ ପଟ୍ଟନାୟକ, କଂଗ୍ରେସରୁ ଦେବକାନ୍ତ ଶର୍ମା ପ୍ରାର୍ଥୀ ହୋଇଛନ୍ତି ।

 

ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୪ ହଜାର ୧୨୨ , ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୦ ହଜାର ୨୮ , ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୪୭ ହଜାର ୪୪୧ ,କବିସୂର୍ୟ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୬ ହଜାର ୮୬୧ , ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୦ ହଜାର ୯୮୨, ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୧ ହଜକ୍ଷର ୫୦୯ ଜଣ ଭୋଟର ଆସନ୍ତା ୨୦ ତାରିଖ ଦିନ ନିଜର ମତଦାନ ସାବ୍ୟସ୍ତ କରିବେ । ତେବେ କାହାକୁ ଆସିକା ସାଂସଦ ଭାବେ ଭୋଟର ବାଛିବେ ତାକୁ ନେଇ ଏବେଠାରୁ ଅଙ୍କ କଷା ଆରମ୍ଭ ହୋଇଗଲାଣି ।

 

୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଲଡୁକିଶୋର ସ୍ଵାଇଁ ୫ ଲକ୍ଷ ୪୧ ହଜାର ୪୭୩ ଖଣ୍ଡ ଭୋଟପାଇ ବିଜୟୀ ହୋଇଥିଲେ । କଂଗ୍ରେସରୁ ଲୋକନାଥ ରଥ ୨ ଲକ୍ଷ ୨୯ ହଜାର ୪୭୬, ବିଜେପିରୁ ମହେଶ ଚନ୍ଦ୍ର ମହାନ୍ତି ୬୭ ହଜାର ୩୬୧, ଆପରୁ ପ୍ରଭାତ କୁମାର ମହାନ୍ତି ୧୧ ହଜାର ୬୩ ଓ ବିଏସପିରୁ ୯ ହଜାର ୧୨୭ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରମିଳା ବିଷୋୟୀ ,ବିଜେପି ପକ୍ଷରୁ ଅନୀତା ଶୁଭଦର୍ଶନୀ ନିର୍ବାଚନ ଲଢ଼ିଥିବା ବେଳେ ଓ ସିପିଆଇ ମେଣ୍ଟ ପ୍ରାର୍ଥୀ ଭାବେ ସିପିଆଇ ନେତା ରାମ କୃଷ୍ଣ ପଣ୍ଡା ନିର୍ବାଚନ ଲଢିଥିଲେ ।

 

ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ୫ ଲକ୍ଷ ୫୨ ହଜାର ୭୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।ବିଜେପିର ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ୩ ଲକ୍ଷ ୪୮ ହଜାର ୪୨ ଖଣ୍ଡ ଭୋଟ ମିଳିଥିଲା । ସିପିଆଇ ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଭାବେ ରାମକୃଷ୍ଣ ପଣ୍ଡା ମାତ୍ର ୫୯ ହଜାର ୯୭୮ ଟି ଭୋଟ ପାଇଥିଲେ । ତେବେ ଚଳିତ ନିର୍ବାଚନରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାହା ଦେଖିବାକୁ ବାକି ରହିଲା ।