ଧରାପଡ଼ିଲା ଠକ ଆଇଏଏସ୍ : ୫ଟି ରାଜ୍ୟରେ ରାଜ କରୁଥିଲା

ବେଶ କିଛି ବର୍ଷ ଧରି ଏକାଧିକ ରାଜ୍ୟ ସରକାରଙ୍କୁ ଚୂନ ଲଗାଇବା ପରେ ଧରାପଡ଼ିଛି ଠକ ଆଇଏଏସ୍ ଅଧିକାରୀ ସୌରଭ ତ୍ରିପାଠୀ । ୟୁପି ନିବାସୀ ସୌରଭର ବୟସ ୩୬ ବର୍ଷ ।

ଲୋକଙ୍କୁ ବୋକା ବନାଇବାରେ ପୁରା ଓସ୍ତାଦ । ସରକାରୀ ଅଧିକାରୀମାନେ ମଧ୍ୟ ତା’ର ହାକିମ ଠାଣି ନିକଟରେ ସଲାମ ଠୁଙ୍କୁଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଖୋଦ୍ ଆଇଏଏସ୍ ଅଧିକାରୀମାନେ ମଧ୍ୟ ତା’ ସହିତ କଥା ହୋଇ ସତସତିକା ଆଇଏଏସ୍ ଅଧିକାରୀ ମଣୁଥିଲେ ।

ଚୋର ଘର ସବୁଦିନ ଅନ୍ଧାର ରହେନା । ଏମିତି ଗୋଟିଏ ତନଖି ଫାଟକ ନିକଟରେ ତା’ର ଅସଲ ପରିଚୟ ଧରାପଡ଼ିଗଲା । ବାବୁଙ୍କର ଜାଲ ପରିଚୟ ପତ୍ର ଉପରେ ପୁଲିସ କର୍ମଚାରୀଙ୍କ ମନରେ ସନ୍ଦେହ ଜାତ ହୋଇଥିଲା ।

ବିଳାସମୟ ଗାଡ଼ି ଭିତରେ ଗୋଟିଏ ଠକ ବସିଛି ଜାଣିବା ପରେ ପୁଲିସ ତାକୁ ଥାନାକୁ ନେଇଯାଇଛି ।

ଲୋକଙ୍କ ଆଗରେ ବଡ଼ପଣିଆ ଦେଖେଇ ହେବାର ଗୁଣ ତା’ର କଲେଜ ସମୟରୁ ରହି ଆସିଥିଲା । ଏ ବିଷୟ ସୌରଭର କିଛି ସହପାଠୀ କହିଛନ୍ତି ।

ସୌରଭ ନିଜ ପାଖରେ ଜଣକୁ ଖାକି ପୋଷାକ ପିନ୍ଧାଇ ରଖିଥିଲା । ସେହି ଲୋକଟି ସୌରଭ ଗାଡ଼ିର ଦରଜା ଖୋଲିଦିଏ । ବନ୍ଦ କରିଦିଏ । ସୌରଭକୁ ଲୋକଙ୍କ ଆଗରେ ସଲାମ ମାରେ ।

ଜଣକୁ ବ୍ୟକ୍ତିଗତ ସଚିବ କରି ରଖିଥିଲା । ଉଭୟ କର୍ମଚାରୀଙ୍କୁ ଠିକ ସମୟରେ ଦରମା ପଇଠ କରିଦିଏ ।

ସୌରଭର ଠକାମିର ଶିକାର ହୋଇଛନ୍ତି ୟୁପି, ଉତରାଖଣ୍ଡ, ମଧ୍ୟ ପ୍ରଦେଶ, ଦିଲ୍ଲୀ ଓ ବିହାର ସରକାର । ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କ ପକେଟରୁ ଟଙ୍କା ବାହାର କରିବା ଦିଗରେ ସୌରଭ ମାହିର ।

ସୌରଭର କଳା କାରନାମା ପଛରେ ସୋସିଆଲ ମିଡିଆର ଅବଦାନ ଯଥେଷ୍ଟ ।