ନିର୍ବାଚନ କମିଶନଙ୍କୁ ବାଜିଲା ସୁପ୍ରିମକୋର୍ଟଙ୍କ ସୁପ୍ରିମ ଛାଟ

ନିର୍ବାଚନ କମିଶନଙ୍କୁ ଠିକଣା ବାଟକୁ ଆଣିବା ପାଇଁ ସୁପ୍ରିମକୋର୍ଟ ସୋମବାର ଦିନ ସୁପ୍ରିମ ଛାଟ ମାରିଛନ୍ତି । ‘ବିହାର ଭୋଟର ତାଲିକାରେ କିଛି ଗଡ଼ବଡ଼ ହୋଇଥିବାର ସାମାନ୍ୟ ପ୍ରମାଣ ପାଇବୁ ତ ନିର୍ବାଚନ କମିଶନଙ୍କ ଭୋଟର ତାଲିକା ସଂଶୋଧନ ଉଦ୍ୟମକୁ ଅଚଳ କରିଦେବୁ’ ।

ଏମିତି ଏକ କଡ଼ା ଟିପ୍ପଣୀ ଶୁଣିବା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଜ୍ଞାନୋଦୟ ହୋଇଥିବ ନିଶ୍ଚିତ ।

ଯୋଉ ପଦ୍ଧତିରେ ଭୋଟର ତାଲିକା ସଂଶୋଧନ ଚାଲିଛି, ତାକୁ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚିଙ୍କ ଖଣ୍ଡପୀଠ ନାପସନ୍ଦ କରିଛନ୍ତି ।

ଖଣ୍ଡପୀଠ କହିଛନ୍ତି, ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା । ଆଇନ ଓ ବିଧି ମୁତାବକ ଭୋଟର ତାଲିକା ସଂଶୋଧନ କରାଯିବା ଜରୁରୀ । ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଖିଲାଫ କଲେ, ତ୍ରୁଟିପୂର୍ଣ୍ଣ ଭୋଟର ତାଲିକାକୁ ଅକାମୀ କରି ଦିଆଯିବ ।

ନିର୍ବାଚନ ଆୟୋଗ କାମରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ଅନୁଚିତ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏକ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ।

ଉକ୍ତ ସତ୍ୟପାଠକୁ ତର୍ଜମା କରିବା ପରେ ଖଣ୍ଡପୀଠ କମିଶନଙ୍କୁ ଅନ୍ତିମ ଚେତାବନି ଶୁଣାଇ ଦେଇଛନ୍ତି ।

ନିର୍ବାଚନ କମିଶନଙ୍କ ଚୂଡ଼ାନ୍ତ ବିହାର ଭୋଟର ତାଲିକା ଏବେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟକୁ ଅପେକ୍ଷା କରିଛି । ସଂଶୋଧିତ ଭୋଟର ତାଲିକାର ବୈଧତା ବିହାର ନିର୍ବାଚନକୁ ପ୍ରଭାବିତ କରିବ ।