ପଞ୍ଜାବର ୧୫୦୦ ବନ୍ୟା ବିପନ୍ନ ପରିବାରଙ୍କ ଅଭିଭାବକ ଏବେ ଶାହରୁଖ

ପଞ୍ଜାବର ପ୍ରଳୟଙ୍କରୀ ବନ୍ୟା ବିପନ୍ନଙ୍କ ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ୍ ତାରକା ଶାହରୁଖ ଖାନ । ଶାହରୁଖଙ୍କ ପରିଚାଳନାଧୀନ ମୀର ଫାଉଣ୍ଡେସନ୍ ବନ୍ୟା ବିପନ୍ନଙ୍କ ପରିବାରକୁ ରିଲିଫ୍ କିଟ୍ ବଂଟନ ଆରମ୍ଭ କରିଛି ।

ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗରେ ଶାହରୁଖ ବନ୍ୟା ବିପନ୍ନଙ୍କ ହାତକୁ ବଢ଼ାଇ ଦେଇଛନ୍ତି ମେଡିସିନ୍, ଅଟା, ଚୁଡ଼ା, ଗୁଡ଼, ଡାଲି, ଚିନି ଭଳି ଶୁଖିଲା ଖାଦ୍ୟ, ଟୁଥ୍ ପେଷ୍ଟ, ଟୁଥ୍ ବ୍ରଶ, ସାବୁନ୍, ଲୁଗାସଫା ସାବୁନ୍, ମଶାରି, ତଂବୁ, ମଶିଣା, ଚାଦର, ତକିଆ ସମେତ ରନ୍ଧା ସାମଗ୍ରୀ, ଇଟା, ବାଲି, ସିମେଂଟ, ଲୁହାରଡ୍ ଭଳି ଘର ତିଆରି ସାମଗ୍ରୀ ।

ପଞ୍ଜାବର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ‘ଭଏସ୍ ଅଫ୍ ଅମୃତସର’ ସହିତ ହାତ ମିଳାଇଛି ମୀର ଫାଉଣ୍ଡେସନ୍ । ପ୍ରାୟ ୫୦୦ ବିପନ୍ନ ପରିବାରକୁ ଖଟିଆ, ଚାଦର, ରେଜେଇ, ତକିଆ ଭଳି ଘରକରଣା ଜିନିଷ ସମେତ ଷ୍ଟୋଭ ବାସନ କୁସନ, ଜଳ ବିଶୋଧକ ଯୋଗାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ମୀର ତାଜ ମହମ୍ମଦ ଖାନ ହେଉଛନ୍ତି ଶାହରୁଖଙ୍କ ବାପା । ୨୦୦୩ ମସିହାରେ ବାପାଙ୍କ ନାମରେ ସ୍ୱେଚ୍ଛାସେବୀ ସଂଗଠନ ପ୍ରତିଷ୍ଠା କରି ଶାହରୁଖ ହଜାର ହଜାର ପରିବାର ମୁହଁରେ ହସ ଫୁଟାଇ ଆସୁଛନ୍ତି ।

କରୋନା ମହାମାରୀ ସମୟରେ ଶାହରୁଖଙ୍କ ଫାଉଣ୍ଡେସନ୍ ବହୁତ ଲୋକଙ୍କୁ ସାହାଯ୍ୟ କରିଛି ।