ପର ନିକଟରେ ମୁଣ୍ଡ ବିକିଲେ ଏଇଆ ଭୋଗିବାକୁ ପଡ଼େ

ପର ନିକଟରେ ମୁଣ୍ଡ ବିକିବା ମାତ୍ରେ ଜଣକର ସ୍ୱାଧୀନତା ଚାଲିଯାଏ । ସରକାରୀ ଅବା ଘରୋଇ ସ୍ତରରେ ହେଉ, ଆମ ସମସ୍ତଙ୍କୁ ସ୍ୱାଧୀନତା ହରାଇବାକୁ ପଡ଼ିଥାଏ । ପେଟ ପୋଷିବା ପାଇଁ ଚାକିରି କରିବା ଜରୁରୀ ।

ଅନ୍ୟ ନିକଟରେ ଚାକିରି କଲେ, ମାଲିକ ଅବା ପରିଚାଳକଙ୍କ ମର୍ଜି ଉପରେ ଛୁଟି ମିଳିଥାଏ । କିଛି ମାଲିକ ଅବା ପରିଚାଳକ ଅଛନ୍ତି, କର୍ମଚାରୀଙ୍କ ମାନସିକ ସ୍ଥିତି ପ୍ରତି ଆଖିବୁଜି ଦିଅନ୍ତି । ଚାକିରିରୁ ବାହାର କରିବାର ଧମକ ଦିଅନ୍ତି ।

ସାଧାରଣତଃ ଏହିଭଳି ଧମକ ଘରୋଇ ସଂସ୍ଥାରେ ମାତ୍ରାଧିକ ।

ନିକଟରେ ଜଣେ କର୍ମଚାରୀ ତାଙ୍କ ସଂସ୍ଥାର ପରିଚାଳକଙ୍କ ଧମକପୂର୍ଣ୍ଣ ବ୍ୟବହାର ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ସଂପୃକ୍ତ କର୍ମଚାରୀ ସୋସିଆଲ ମିଡିଆରେ ଲେଖିଛନ୍ତି, ଅଗଷ୍ଟ ୩୦ ତାରିଖରେ ତାଙ୍କ ପରିବାରରେ ପିଲାଟିଏ ଜନ୍ମ ନେଲା ।

ନବଜାତକର ଦେହ ହଠାତ୍ ଗୁରୁତର ହୋଇପଡ଼ିଲା । ପିଲାଟିର ସ୍ୱାସ୍ଥ୍ୟ ଅଗ୍ରଗତି ପ୍ରତି ୨୪ ଘଂଟା ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ଡାକ୍ତର ପରାମର୍ଶ ଦେଲେ ।

କର୍ମଚାରୀ ଜଣକ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ଫୋନ୍ କରି ସବୁ ବିଷୟ ଜଣାଇଲେ ଓ ଆଉ ଗୋଟିଏ ଦିନ ପାଇଁ ଛୁଟି ବଢ଼ାଇବାକୁ ଅନୁରୋଧ କଲେ ।

ପରିଚାଳକ ଜଣକ କିଛି ଶୁଣିଲେନି, ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ତାଗିଦ କଲେ ।

ଆମ ସମସ୍ତଙ୍କ ପାଇଁ ପରିବାର ଜରୁରୀ । ଅସମୟରେ ପରିବାର ଲୋକଙ୍କ ନିକଟରେ ଠିଆ ହେବାର ସୁଯୋଗ ଦେଉ ନଥିବା ମାଲିକ ଅବା ଅଧିକାରୀଙ୍କ ବିରୋଧରେ ଆପଣ କରିପାରିବେ? ଚାକିରି ଛାଡ଼ିବା ଛଡ଼ା ଅନ୍ୟ ବାଟ ନାହିଁ ।

କର୍ମଚାରୀ ଜଣକ ଅତ୍ୟନ୍ତ ଦୁଃଖର ସହିତ ତାଙ୍କ କଷ୍ଟକୁ ସେୟାର କରିଛନ୍ତି । କର୍ମଚାରୀ ଜଣକ ଲେଖିଛନ୍ତି, ପରିବାର ଚଳାଇବା ପାଇଁ ତାଙ୍କ ପକ୍ଷେ ଚାକିରି ଜରୁରୀ । ଚାକିରି ଛାଡ଼ିଦେଲେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିବ ।

ତେଣୁ ପରିଚାଳକଙ୍କ ତାଗିଦ ମାନି ତାଙ୍କୁ ଅଫିସକୁ ଯିବାକୁ ପଡ଼ିବ, ପରିବାରକୁ ସମୟ ଦେବାର ଅଧିକାର ତାଙ୍କ ନିକଟରେ ନାହିଁ ।