ବନାଂଚଳରେ ଦକ୍ଷତା ବିକାଶ

୨୮ ଯୁବକଙ୍କୁ ମିଳିଲା ନିଯୁକ୍ତି ପତ୍ର

ଓଡ଼ିଶାର ଦୁର୍ଗମ ବନାଂଚଳରେ ବସବାସ କରୁଥିବା ….

ଭୁବନେଶ୍ୱର: ଓଡ଼ିଶାର ଦୁର୍ଗମ ବନାଂଚଳରେ ବସବାସ କରୁଥିବା ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ତଥା ରୋଜଗାରକ୍ଷମ କରିବା ପାଇଁ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବନ ବିଭାଗ (କେନ୍ଦୁପତ୍ର)ର ମିଳିତ ପ୍ରୟାସରେ ଚାଲୁଥିବା ଦକ୍ଷତା ବିକାଶ ତାଲିମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବଲାଙ୍ଗିର ଜିଲ୍ଲାର ବନ୍ଧପଡ଼ା ବନଖଣ୍ଡର ୨୮ ଜଣ ଯୁବକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳତାର ସହ ପ୍ରଶିକ୍ଷଣ ଶେଷ କରିଥିବାରୁ ସେମାନଙ୍କୁ ନିଯୁକ୍ତି ସୁଯୋଗ ମିଳିଛି। ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ କର୍ଣ୍ଣାଟକର ହୋସୁର ଠାରେ ଥିବା ପ୍ରତିଷ୍ଠିତ ଟିଭିଏସ ମୋଟର୍ସ କମ୍ପାନିରେ ଇଲେକ୍‌ଟ୍ରିସିଆନ୍‌ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସେହିପରି ଅନ୍ୟ ୯ ଜଣଙ୍କୁ ସ୍ଥାନୀୟ ଅଂଚଳରେ କେତେକ ଘରୋଇ ସଂସ୍ଥାରେ ମଧ୍ୟ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଛି।
ଆସିଷ୍ଟାଂଟ୍‌ ଇଲେକ୍‌ଟ୍ରିସିଆନ୍‌ ଟ୍ରେଡ୍‌ରେ ସଫଳତାର ସହ ୨ ମାସର ତାଲିମ୍‌ ଶେଷ କରିବା ପରେ, ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ ତରଫରୁ ପ୍ରଶିକ୍ଷାର୍ଥୀମାନଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଥିଲା।

ଯୁବକମାନଙ୍କ ଏହି ସଫଳତାକୁ ନେଇ, ସେମାନଙ୍କ ପରିବାର ଲୋକେ ଖୁସି ପ୍ରକଟ କରିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ, ୨୮ ଜଣ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ସ୍ଥାନୀୟ କେନ୍ଦୁପତ୍ର ଶ୍ରମିକଙ୍କ ପରିବାରର କେତେକ ଯୁବକ ମଧ୍ୟ ସାମିଲ ହୋଇଥିଲେ।